ଜାତୀୟ ରାଜପଥରେ ଓଭରଲୋଡ୍ ଗାଡି ଉପରେ ଫି ଆଦାୟକୁ ସୁସଂଗଠିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଜାରି କରିଛନ୍ତି।ମନ୍ତ୍ରଣାଳୟ ମଙ୍ଗଳବାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ସଂଶୋଧିତ ନିୟମ ୧୫ ଏପ୍ରିଲ୍ ୨୦୨୬ ରୁ ଲାଗୁ ହେବ। ଏହି ସଂଶୋଧନ ନିର୍ଦ୍ଧାରିତ ଭାର ସୀମାକୁ ପାଳନ କରାଇବା, ସଡକ ସୁରକ୍ଷା ବୃଦ୍ଧି କରିବା ସହ ରାଜପଥ ଢାଞ୍ଚାକୁ ସୁରକ୍ଷିତ ରଖିବାକୁ ଉଦ୍ଦିଷ୍ଟ । ନୂଆ ଫି ଗଠନ ଅନୁଯାୟୀ, ଯେଉଁ ଗାଡି ଅଧିକ ଭାର ବୋଝ ସହ ଧରାପଡିବ, ସେମାନଙ୍କଠାରୁ ଅଧିକ ଭାରର ପ୍ରତିଶତ ଅନୁସାରେ ଫି ଆଦାୟ କରାଯିବ। ଅବଶ୍ୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଭାର ନେଇଥିବା ଗାଡିକୁ କୌଣସି ଓଭରଲୋଡ୍ ଫି ଦେବାକୁ ପଡିବ ନାହିଁ। କିନ୍ତୁ ୧୦ ପ୍ରତିଶତ ଉପରେ ଏବଂ ୪୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଭାର ନେଇଥିବା ଗାଡିଠାରୁ ମୂଳ ଫିର ଦୁଇଗୁଣା ଅଧିକ ଆଦାୟ କରାଯିବ। ଯେଉଁ ଗାଡି ୪୦ ପ୍ରତିଶତରୁ ଅଧିକ ଭାର ପରିବହନ କରୁଥିବ, ସେମାନଙ୍କୁ ମୂଳ ଫିର ଚାରିଗୁଣା ଫି ଦେବାକୁ ପଡିବ। ନିୟମ ଅନୁଯାୟୀ, ଓଭରଲୋଡ୍ ନିର୍ଣ୍ଣୟ ଫି ପ୍ଲାଜାରେ ସ୍ଥାପିତ ପ୍ରମାଣିତ ଓଜନ ମାପ ଯନ୍ତ୍ର (weighing devices) ଦ୍ୱାରା କରାଯିବ। ଯେଉଁ ଫି ପ୍ଲାଜାରେ ଓଜନ ମାପ ଯନ୍ତ୍ର ଉପଲବ୍ଧ ନଥିବ, ସେଠାରେ କୌଣସି ଓଭରଲୋଡ୍ ଫି ଆଦାୟ କରାଯିବ ନାହିଁ।ଏହି ନିୟମ ଅନୁଯାୟୀ, ଓଭରଲୋଡ୍ ଫି କେବଳ FASTag ମାଧ୍ୟମରେ ଆଦାୟ କରାଯିବ। ଓଭରଲୋଡ୍ ଗାଡି ସମ୍ପର୍କିତ ସମସ୍ତ ତଥ୍ୟ VAHAN ରେ ରେକର୍ଡ କରାଯିବ ଓ ରିପୋର୍ଟ ହେବ। ଯେଉଁ ଗାଡି ବୈଧ FASTag ବିନା ଜାତୀୟ ରାଜପଥକୁ ପ୍ରବେଶ କରିବ, ସେମାନଙ୍କ ବିରୋଧରେ ବର୍ତ୍ତମାନ ଚାଲୁ ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ। ତେବେ, ନୂଆ ନିୟମ କିଛି ବେସରକାରୀ ନିବେଶ ପ୍ରକଳ୍ପରେ ତ୍ବରିତ ଲାଗୁ ହେବ ନାହିଁ। ବିଜ୍ଞପ୍ତିରେ ଭିନ୍ନ ଭିନ୍ନ ଯାନ ବର୍ଗ ପାଇଁ ନିର୍ଦ୍ଧାରିତ ଓଜନ ସୀମା ଅନୁଯାୟୀ ଓଭରଲୋଡ୍ ଫି କିପରି ଗଣନା କରାଯିବ, ତାହାର ବିସ୍ତୃତ ଉଦାହରଣ ମଧ୍ୟ ଦିଆଯାଇଛି, ଯାହା ନିୟମ ପ୍ରୟୋଗରେ ସ୍ପଷ୍ଟତା ଓ ପାରଦର୍ଶିତା ଆଣିବ। ଏହି ସଂଶୋଧନ ଫଳରେ ଓଭରଲୋଡ୍ ଗାଡି ଦ୍ୱାରା ସଡକ କ୍ଷତି କମିବ, ନିୟମ ପାଳନ ବୃଦ୍ଧି ପାଇବ ଓ ଜାତୀୟ ରାଜପଥରେ ସୁରକ୍ଷିତ ଏବଂ କାର୍ଯ୍ୟକୁଶଳ ଭାବେ ସାମଗ୍ରୀ ପରିବହନ ସୁନିଶ୍ଚିତ ହେବ।
