ଜିଲ୍ଲା ଯୋଜନା କମିଟିରେ ଅଧ୍ୟକ୍ଷ ଭାବେ ଯୋଗଦେଲେ ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ

ରାୟଗଡ଼, ତା. ୧୪.୦୪.୨୦୨୬: ରାୟଗଡ଼ ଜିଲ୍ଲାର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଆଜି ମାନ୍ୟବର ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗୋଣ୍ଡ ଦାୟିତ୍ୱ ଗ୍ରହଣ କରିଛନ୍ତି। ସ୍ଥାନୀୟ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସେ ଅନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସଭାକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ଜିଲ୍ଲାର ସମସ୍ତ ମୁଖ୍ୟ ଉନ୍ନୟନ କାର୍ଯ୍ୟକୁ ଗୁଣାତ୍ମକ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ଅତ୍ୟାବଶ୍ୟକ। ସେ କୃଷି, ପାଣିପାନୀୟ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ସଡ଼କ ଓ ଜୀବିକାମୂଳକ ପରିଯୋଜନାମାନଙ୍କୁ ବିଶେଷ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଥିଲେ।ସେ ଆହୁରି କହିଥିଲେ ଯେ, ସରକାରୀ ଯୋଜନାମାନଙ୍କର ଲାଭ ସଠିକ ଭାବେ ଜନସାଧାରଣଙ୍କୁ ପହଞ୍ଚିବା ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟକଳାପକୁ ସୁଦୃଢ କରିବା ଆବଶ୍ୟକ। ଚାଲୁଥିବା ପ୍ରକଳ୍ପମାନଙ୍କର ନିୟମିତ ସମୀକ୍ଷା କରି ସମସ୍ୟାମାନଙ୍କୁ ଶୀଘ୍ର ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ନୂତନ ପ୍ରକଳ୍ପ ଆରମ୍ଭ କରିବା କିମ୍ବା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଡିପିଆର (DPR) ପ୍ରସ୍ତୁତ କରିବାକୁ ସେ ସମ୍ବନ୍ଧିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସଭାରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିହାର ରଞ୍ଜନ କହଁର, ମୁଖ୍ୟ ଉନ୍ନୟନ ଅଧିକାରୀ-cum-କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଅଭିଷେକ ଦିଲୀପ ଦୁଧାଳ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା ସହ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାପାଳ ସମସ୍ତ ବିଭାଗକୁ ସମୟମଧ୍ୟରେ ଲକ୍ଷ୍ୟ ପୂରଣ କରିବାକୁ ଅନୁରୋଧ କରିଥିଲେ। ସଭାରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲୁଥିବା ଉନ୍ନୟନ କାର୍ଯ୍ୟର ଅବସ୍ଥା ଓ ଆଗାମୀ ପରିକଳ୍ପନା ସମ୍ପର୍କରେ ଆଲୋଚନା ହୋଇଥିଲା।ସଭା ଶେଷରେ ଜିଲ୍ଲାର ସମଗ୍ର ଉନ୍ନୟନ ପାଇଁ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା।

ଅଧିକ ପଢନ୍ତୁ