ଝାଡ଼ଖଣ୍ଡର ଧାନବାଦର ଗୋବିନ୍ଦପୁରରେ ଜଣେ ଅବସରପ୍ରାପ୍ତ ବୈଜ୍ଞାନିକଙ୍କ ପରିବାରରେ ଅଜବ ଘଟଣା । ଭଉଣୀର ଶବକୁ ବାଥରୁମରେ ଜାଳିଲା ବଡ଼ ଭାଇ । ବୈଜ୍ଞାନିକଙ୍କ ପୁଅ ତାଙ୍କ ଛାଡପତ୍ର ପାଇଥିବା ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ଘରର ବାଥରୁମରେ ତାଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ଅର୍ଦ୍ଧଦଗ୍ଧ ଶରୀରରୁ ଦୁର୍ଗନ୍ଧ ପଡ଼ୋଶୀରେ ବ୍ୟାପିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଉ ଏହାକୁ ଅଧିକ ରହସ୍ୟମୟ କରିଛି ମହିଳାଙ୍କ ଦୁଇ ଭାଇଙ୍କ ବୟାନ। ଧାନବାଦର ଗୋବିନ୍ଦପୁର ଅଞ୍ଚଳରେ ଏପ୍ରିଲ ୭ ତାରିଖରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାଁ ଲିପିକା କୁମାରୀ। ଲିପିକା ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେଇ ଏକୁଟିଆ ରହୁଥିଲେ। ଗତ ଦୁଇ ବର୍ଷ ତଳେ ତାଙ୍କ ବାପାଙ୍କର ହୃଦଘାତରେ ମୃତ୍ୟୁ ହେବା ପରେ ଘରେ କେବଳ ଲିପିକା, ତାଙ୍କ ବଡ ଭାଇ ପ୍ରଣବ ରାଜବର୍ଦ୍ଧନ ଓ ସାନ ଭାଇ ପ୍ରଦ୍ୟୁତ ରାଜବର୍ଦ୍ଧନ ରହୁଥିଲେ। ଲିପିକା ବହୁତ ଡିପ୍ରେସନରେ ରହୁଥିଲେ। ସୋସାଇଟିରେ କାହା ସହ ମିଳାମିଶା କରୁନଥିଲେ କି କଥାବାର୍ତ୍ତା କରୁନଥିଲେ। ଅନେକ ସମୟରେ ଲିପିକାଙ୍କର ଦେହ ଖରାପ ରୁହେ। ତେବେ ଲିପିକା ତାଙ୍କ ରୁମରେ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ବଡ଼ ଭାଇ ପ୍ରଣବ ନିଜ ସାନ ଭାଇ କିମ୍ବା ପଡ଼ୋଶୀମାନଙ୍କୁ ଏ ସମ୍ପର୍କରେ ନ ଜଣାଇ ଲିପିକାଙ୍କ ମୃତଦେହକୁ ବାଥରୁମରେ ପୋଡ଼ି ଦେଇଥିଲେ । କିଛି ଦିନ ପରେ ଆଂଶିକ ପୋଡ଼ିଯାଇଥିବା ଶରୀରରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀମାନେ ରବିବାର ରାତିରେ ପୋଲିସକୁ ଖବର ଦେଇଥିଲେ । ସେପଟେ ବଡ଼ ଭାଇ ପ୍ରଣବକୁ ପୋଲିସ ସନ୍ଦେହ କରୁଛି, କାରଣ ସେ ଲଗାତାର ନିଜର ବୟାନ ବଦଳାଇବାରେ ଲାଗିଛନ୍ତି । ପୋଲିସ ପ୍ରଣବଙ୍କୁ ହେପାଜତରେ ରଖି ପଚରାଉଚରା କରୁଛି ।ତେବେ ତଦନ୍ତରୁ ଜଣାପଡିଛି ଯେ, ପ୍ରଦ୍ୟୁତ ମଧ୍ୟ ମାନସିକ ଅବସାଦରେ ଥିଲେ। ତେବେ ଲିପିକାର ମୃତ୍ୟୁ ଆତ୍ମହତ୍ୟା ଥିଲା କି ଅନ୍ୟ କିଛି ସେ ନେଇ ତଦନ୍ତ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ ବୋଲି ପୋଲିସ କହିଛି
