ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ, ଗୌରବ ଓ ଗରିମାକୁ ପ୍ରତିପାଦିତ କରିଥିବା ଓଡ଼ିଆ ବୀରଙ୍କ ମଧ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ଶାଣିତ ବ୍ୟକ୍ତିତ୍ବ । ଆଜି ଏପ୍ରିଲ ୧୭ ତାରିଖ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା ।ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସହ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପାରାଦୀପ ବନ୍ଦର ପ୍ରତିଷ୍ଠା କରି ଓଡ଼ିଶାର ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ ବିଜୁବାବୁ ।
ଭୁବନେଶ୍ୱର ବିମାନବନ୍ଦର, ଚୌଦ୍ୱାର ଓ ବଡ଼ବିଲ ଶିଳ୍ପାଞ୍ଚଳ, ତାଳଚେର ଥର୍ମାଲ୍, ନାଲକୋ ଏବଂ ସୁନାବେଡ଼ା HAL ଭଳି ବଡ଼ ପ୍ରକଳ୍ପର ରୂପାୟନ ପଛରେ ତାଙ୍କର ବଡ଼ ଭୂମିକା ଥିଲା । ସେହିପରି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବିକାଶ ଓ ବିଜ୍ଞାନକୁ ଲୋକପ୍ରିୟତା କରାଇବାରେ ବଳିଷ୍ଠ ଅବଦାନ ରହିଛି । ଭୁବନେଶ୍ବରରେ କୃଷି ବିଶ୍ବବିଦ୍ୟାଳୟ, ସୈନିକ ସ୍କୁଲ ପ୍ରତିଷ୍ଠା ଏବଂ ବିଶ୍ୱସ୍ତରରେ ବିଜ୍ଞାନର ପ୍ରଚାର ପାଇଁ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ଆରମ୍ଭ କରିଥିଲେ। ମହିଳାଙ୍କୁ ସଶକ୍ତ କରିବାରେ ବିଜୁବାବୁଙ୍କ ଭୂମିକା ଅତୁଳନୀୟ ।ଭାରତରେ ପ୍ରଥମ କରି ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରି ସେ ଇତିହାସ ରଚିଥିଲେ । ଜଣେ ଦୁଃସାହସୀ ପାଇଲଟ୍ ଭାବେ ସେ ଭାରତ ଛାଡ଼ ଆନ୍ଦୋଳନ ଓ କାଶ୍ମୀର ଅପରେସନରେ ମୁଖ୍ୟ ଭୂମିକା ନେଇଥିଲେ । ଅନ୍ୟପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ନବୀନ ପୋଷ୍ଟ କରିଛନ୍ତି, ଓଡ଼ିଶାର ଗୌରବ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଶର ସ୍ଵାଧୀନତା ସଂଗ୍ରାମରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ।
