ଓଏସଏସଏସସିର ନିଷ୍ପତ୍ତି ହାଇକୋର୍ଟରେ ରଦ୍ଦ । ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ

ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ ସିଲେକ୍ସନ୍‌ କମିସନ (ଓଏସଏସଏସସି) ପକ୍ଷରୁ କମ୍ବାଇନ୍‌ଡ ରିକ୍ରୁଟମେଣ୍ଟ ପରୀକ୍ଷା-୨୦୨୩କୁ ନେଇ ପ୍ରାର୍ଥୀଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ ଏବଂ ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇ ୩୩୭ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ରାସ୍ତା ପରିଷ୍କାର କରିଛନ୍ତି । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଏସଏସଏସସି ଦ୍ୱାରା ଆୟୋଜିତ ହୋଇଥିବା ପରୀକ୍ଷା ସମ୍ପର୍କିତ ବିବାଦର ସମାଧାନ କରିଛନ୍ତି । ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପୋଷ୍ଟ ପାଇଁ ହୋଇଥିବା ଏହି ପରୀକ୍ଷାରେ ଜଡିତ ୩୩୭ ପ୍ରାର୍ଥୀଙ୍କ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି । କମିସନ ଆସନ୍ତା ୩ ସପ୍ତାହ ମଧ୍ୟରେ ଆଶାୟୀମାନଙ୍କ ପଦ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ। ସୁପାରିସ ପାଇବା ପରେ ସରକାରୀ ବିଭାଗଗୁଡ଼ିକ ବିନା କୌଣସି ବିଳମ୍ବରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ। ତେବେ ଏହି ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପୂର୍ବରୁ କାର୍ଯ୍ୟରେ ଯୋଗ ଦେଇଥିବା କର୍ମଚାରୀଙ୍କଠାରୁ ସିନିୟରିଟି ବା ବରିଷ୍ଠତା ଦାବି କରିପାରିବେ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ହାଇକୋର୍ଟ OSSSC ଦ୍ୱାରା ୧୯ ଫେବୃଆରୀ ୨୦୨୫ରେ ଜାରି ହୋଇଥିବା ଶୋ-କଜ ନୋଟିସ ଏବଂ ୧୦ ଅକ୍ଟୋବର ୨୦୨୫ର ଆଦେଶକୁ ଅବୈଧ ଘୋଷଣା କରିଛନ୍ତି । ହାଇକୋର୍ଟରେ ଦାୟର ୨୫୦ ରୁ ଉର୍ଦ୍ଧ୍ବ ମାମଲାର ଏକତ୍ର ଶୁଣାଣି କରି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ