ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ମଜାଦାର ମୁହୂର୍ତ୍ତ । ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦି ଓ ନିଜକୁ ନେଇ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଶୁଣି ପୂରା ଗୃହ ହସରେ ଫାଟି ପଡ଼ିଥିଲା ।ସଂସଦରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତର ପରିକଳ୍ପନା ଓ ବିକାଶରେ ମହିଳାମାନେ ହେଉଛନ୍ତି ମୁଖ୍ୟ ଚାଳିକା ଶକ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ମାଆ, ଭଉଣୀ ଓ ପତ୍ନୀଙ୍କଠାରୁ ଅନେକ ଶିକ୍ଷା ପାଇଥାନ୍ତି।
ଚର୍ଚ୍ଚା ମଝିରେ ହସର ଖୋରାକ ଯୋଗାଇ ରାହୁଲ କହିଥିଲେ, “ପ୍ରଧାନମନ୍ତ୍ରୀ ଏବଂ ମୋର ପତ୍ନୀ ସମସ୍ୟା ନାହିଁ, ତେଣୁ ସେଠାରୁ ଆମକୁ କୌଣସି ଇନପୁଟ୍ ମିଳେନି, କିନ୍ତୁ ଆମ ପାଖରେ ମାଆ ଓ ଭଉଣୀ ଅଛନ୍ତି ।” ଅନ୍ୟପଟେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ “ଯାଦୁକର” କହି କଟାକ୍ଷ କରିଥିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ବେଳେ ରାହୁଲ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ କେବଳ ଯାଦୁ ବିଦ୍ୟା ଭଳି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ପ୍ରକୃତ ସମସ୍ୟାରୁ ନଜର ହଟାଇବା ପାଇଁ ନୂଆ ନୂଆ “ଇଭେଣ୍ଟ” ପ୍ରସ୍ତୁତ କରୁଛନ୍ତି। ବିଶେଷ କରି ବେକାରୀ, ମହଙ୍ଗା ମାଡ଼ ଓ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ସୁବିଧା ଯୋଗାଇବା ପ୍ରସଙ୍ଗରେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଏକ ଯାଦୁକରୀ ଶୈଳୀରେ ଜନତାଙ୍କ ଅର୍ଥକୁ କିଛି ଲୋକଙ୍କ ପକେଟକୁ ପଠାଇବାରେ ସଫଳ ହେଉଛନ୍ତି।
