ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ “ନର୍କ” ଭାବରେ ବର୍ଣ୍ଣନା କରାଯାଇଛି। “ଜନ୍ମାଧିକାର ନାଗରିକତା” ଶୀର୍ଷକ ଏହି ଭିଡିଓରେ ଭାରତ ବିରୋଧୀ ବକ୍ତବ୍ୟ ରହିଛି; ଏବେ ଟ୍ରମ୍ପ ଏହି ଭିଡିଓରେ ଦିଆଯାଇଥିବା ମନ୍ତବ୍ୟଗୁଡ଼ିକୁ ଟ୍ରାନ୍ସକ୍ରିପ୍ଟ କରିଛନ୍ତି ଏବଂ ଟ୍ରୁଥ ସୋସିଆଲରେ ଚାରି ପୃଷ୍ଠାରେ ସେୟାର କରିଛନ୍ତି।ଭିଡିଓକୁ ସିଧାସଳଖ ସେୟାର କରିବା ପରିବର୍ତ୍ତେ, ଟ୍ରମ୍ପ୍ ଭିଡିଓର ସମ୍ପୂର୍ଣ୍ଣ ଲେଖାକୁ ଟ୍ରୁଥ୍ ସୋସିଆଲରେ ଚାରି ପୃଷ୍ଠାର ପୋଷ୍ଟ ଭାବରେ ପ୍ରକାଶ କରିଛନ୍ତି। ଯାହା ଏହି ପ୍ରସଙ୍ଗକୁ ଆହୁରି ଜଟିଳ କରିଛି। ସମାଲୋଚକମାନେ ଟ୍ରୋଲ୍ କରି କହିଛନ୍ତି ଯେ, ଜଣେ ରାଷ୍ଟ୍ରପତିଙ୍କ ଦ୍ୱାରା ଏପରି ସାମଗ୍ରୀର ପୁନଃପ୍ରକାଶନ କେବଳ ବିବାଦୀୟ ନୁହେଁ ବରଂ ସେହି ମତାମତକୁ ବୈଧତା ମଧ୍ୟ ପ୍ରଦାନ କରୁଛି।
ମାଇକେଲ ସାଭେଜଙ୍କ ଭିଡିଓଟି ପ୍ରାରମ୍ଭରେ ବହୁତ କମ୍ ଲୋକ ଦେଖିଥିଲେ ଏବଂ କେବଳ କିଛି ହଜାର ଭ୍ୟୁ ପାଇଥିଲା। ତେବେ ଟ୍ରମ୍ପ ଏହାକୁ ସେୟାର କରିବା ପରେ, ଏହା ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟ ପାଲଟିଛି। ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗ ରାଜନୈତିକ ଏବଂ କୂଟନୈତିକ ମହଲରେ ନୂତନ ବିତର୍କ ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଜଣେ ଉଚ୍ଚପଦସ୍ଥ ନେତାଙ୍କ ଦ୍ୱାରା ସେୟାର କରାଯାଇଥିବା ଏପରି ମନ୍ତବ୍ୟ ଅନ୍ତର୍ଜାତୀୟ ସମ୍ପର୍କରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହି ବିବାଦ କେବଳ ଗୋଟିଏ ସୋସିଆଲ ମିଡିଆ ପୋଷ୍ଟରେ ସୀମିତ ନାହିଁ। ଏହା ଆମେରିକାର ପ୍ରବାସ ନୀତି , ରାଜନୈତିକ ଭାଷା ଏବଂ ବିଶ୍ୱ କୂଟନୀତି ବିଷୟରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛି ।
