କେନ୍ଦୁଝର ପାଟଣାରେ ଚାଞ୍ଚଲ୍ୟ । ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ । ଜଣେ ବୃଦ୍ଧ ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ପାଇବା ପାଇଁ ମଶାଣିରୁ ଶବ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ଘଟିଛି ପାଟଣା ବ୍ଲକ ମଲ୍ଲିପୋଷୀ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ।ଖବରମୁତାବକ, ଡିଆନାଳି ଗାଁର ଜିତୁ ମୁଣ୍ଡା ଦୁଇ ଦିନ ପୂର୍ବରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍ଠୋକ୍ ଶୁଣାଇଦେଇଥିଲେ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ। ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପୋତା ଯାଇଥିବା ଭଉଣୀର ମୃତଦେହକୁ ଖୋଳିଥିଲେ ଓ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ।
ବ୍ୟାଙ୍କ ଆଗରେ ମୃତଦେହ ରଖି ଟଙ୍କା ମାଗିଥିଲେ। ଜିତୁ ମୁଣ୍ଡାଙ୍କ ଭଉଣୀ କାଲା ମୁଣ୍ଡାଙ୍କ ନାଁର ଥିବା ୧୯ହଜାର ୩୦୦ ଟଙ୍କାର ଜମା ରାଶି ପାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଛନ୍ତି।
