ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଜେକ୍ଟ ଫ୍ରିଡମ୍ ଘୋଷଣା କରିଛନ୍ତି, ଯାହା ହର୍ମୁଜ୍ ପ୍ରଣାଳୀରେ ଫସି ରହିଥିବା ଜାହାଜଗୁଡ଼ିକୁ ମୁକ୍ତ କରିବ । ଇରାନ ଟ୍ରମ୍ପଙ୍କ ଯୋଜନାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି ଏବଂ ଚେତାବନୀ ଦେଇଛି ଯେ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ଯେକୌଣସି ହସ୍ତକ୍ଷେପକୁ ଜାରି ରହିଥିବା ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଇରାନ ସଂସଦର ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତି କମିଟିର ମୁଖ୍ୟ ଇବ୍ରାହିମ ଅଜିଜି ଆମେରିକାକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଯେକୌଣସି ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ। ପ୍ରଣାଳୀରେ ଆମେରିକାର ଦାଦାଗିରି ଚଳିବ ନାହିଁ। ପ୍ରଣାଳୀ ଉପରେ ଇରାନ କୌଣସି ବାହ୍ୟ ନିୟନ୍ତ୍ରଣ ଗ୍ରହଣ କରିବ ନାହିଁ ବୋଲି ଅଜିଜି ଜୋର ଦେଇ କହିଛନ୍ତି। ଅଜିଜି ଟ୍ରମ୍ପଙ୍କ ପ୍ରୋଜେକ୍ଟ ଫ୍ରିଡମ୍ ପଦକ୍ଷେପକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବଂ ବ୍ୟାପକ ଉପସାଗରୀୟ ଅଞ୍ଚଳର ପରିଚାଳନା ଟ୍ରମ୍ପଙ୍କ ଭ୍ରାମକ ପୋଷ୍ଟ ଦ୍ୱାରା ନିୟନ୍ତ୍ରିତ ହେବ ନାହିଁ।
