ରାୟଗଡ,୪/୫(): ଶନିବାର ପ୍ରକାଶ ପାଇଛି ୨୦୨୬ ବର୍ଷର ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ୍) ପରୀକ୍ଷାଫଳ । ରାୟଗଡ ଜିଲ୍ଳାରେ ପାସ ହାର ୯୬.୫ପ୍ରତିଶତ ରହିଛି । ଚଳିତ ବର୍ଷ ଜିଲ୍ଳାରେ ୬ଜଣ ପରୀକ୍ଷାର୍ଥୀ ଏ ୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ବେଳେ ସୋମବାର ଦିନ ରାୟଗଡ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି ନିଜ ଦପ୍ତରରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇ ଉତ୍ସାହିତ କରିଛନ୍ତି । ଏଥିସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଳାପାଳ ଶ୍ରୀ କୁଲକର୍ଣ୍ଣି । ରାୟଗଡ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି ଓ ବିଞାନ ସୁପରଭାଇଜର ଦୀପକ ବେହେରାଙ୍କ ଉପସ୍ଥିତିରେ ଏ୧ ଗ୍ରେଡରେ ୫୫୪ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଜିଲ୍ଳା ଟପ୍ପର ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମନସ୍ୱନୀ ଦାଶ,ଦ୍ୱିତୀୟ ସ୍ଥାନରେ ଥିବା ଆମ୍ବଦଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସ୍ୱୀକୃତି ରଥ,ତୃତୀୟରେ ଇମ୍ଫା କ୍ୟାମ୍ପସ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ସୁଦେଷ୍ନା ପାଣିଙ୍କ ସହ ଚତୁର୍ଥ,ପଂଚମ ଓ ଷଷ୍ଠ ସ୍ଥାନ ଅଧିକାରୀ ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସିଦ୍ଧେଶ୍ୱର ଶବର,ସାଇ ଆର୍ଶିବାଦ ରଥ,ରାଜେଶ୍ୱରୀ ବେହେରା ଏବଂ ତାଙ୍କ ଅଭିଭାବକମାନେ ଜିଲ୍ଳାପାଳଙ୍କୁ ସାକ୍ଷାତ କରିଥିଲେ । ସମସ୍ତ ଅଭିଭାବକଙ୍କୁ ପିଲାମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସଠିକ୍ ଦିଗଦର୍ଶନ ନେଇ ପଦକ୍ଷେପ ନେବାକୁ କହିଥିବା ବେଳେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ କିଏ କଣ ହେବାକୁ ସ୍ଥିର କରିଛନ୍ତି ସେ ବିଷୟରେ ପଚାରି ବୁଝିବା ସହ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ସେମାନଙ୍କ ସଂକଳ୍ପ ଓ ନିଷ୍ଠା ହିିଁ ଆଗାମୀ ଦିନରେ ଜିଲ୍ଳା ଓ ରାଜ୍ୟର ନାମକୁ ଆହୁରି ଗୈାରବାନ୍ୱିତ କରିବ ବୋଲି ପରାମର୍ଶ ଦେବା ସହ ସେମାନଙ୍କ ସଫଳତା ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଭଳି ଟପ୍ପରଙ୍କୁ ଆଦର୍ଶ ଭାବେ ନେଇ ଆଗକୁ ବଢିବାକୁ ଆହ୍ୱାନ ଦେଇଛନ୍ତି ଜିଲ୍ଳାପାଳ ଶ୍ରୀ କୁଲକର୍ଣ୍ଣି ।
