ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗ ଅଶାନ୍ତ : TMC ଅଫିସ ଜାଳିଦେଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି । ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।କେଉଁଠି ଟିଏମସିର କାର୍ଯ୍ୟାଳୟରେ ନିଆଁ ଲାଗିଛି । ଆଉ କେଉଁଠି ମୂର୍ତ୍ତି ଭଙ୍ଗାରୁଜା ହୋଇଛି ।ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାର ଭୋଟ୍ ଗଣତି ହୋଇଥିଲା । ଏଥିରେ ବିଜେପି ବାଜିମାତ କରି ସରକାର ଗଠନ କରିବାକୁ ଯାଉଛି । ଦଳ ୨୦୦ରୁ ଅଧିକ ସିଟରେ ଜିତିଛି । ଶାସନରେ ଥିବା ଟିଏମସି ୯୦ ଭିତରେ ସୀମିତ ରହିଛି । ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ଭୋଟ୍ ଗଣତି ପରେ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି ।ରାଜ୍ୟରେ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ମୁଖ୍ୟ ନିର୍ବାଚନ କମିସନ(ସିଇସି) ଜ୍ଞାନେଶ କୁମାର କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ହିଂସା ଏବଂ ଭଙ୍ଗାରୁଜାରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସିଇସି ପଶ୍ଚିମବଙ୍ଗ ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି), କୋଲକାତା ପୁଲିସ କମିସନର ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ମହାନିର୍ଦ୍ଦେଶକଙ୍କ ସହିତ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ପୁଲିସ ଅଧୀକ୍ଷକ (ଏସପି) ଏବଂ ପୁଲିସ ଅଧିକାରୀମାନଙ୍କୁ ପାଟ୍ରୋଲିଂ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ