ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନ । ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ । ଏଥିରେ କାମଚଳା ବଜେଟ ଉପସ୍ଥାପନ ହେବ । ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ଥିବାରୁ ସଂକ୍ଷିପ୍ତ ହେଲେ ମଧ୍ୟ ବେଶ୍ ସରଗରମ ରହିବା ସମ୍ଭାବନା ଅଛି । ମୁହାମୁହିଁ ହେବେ ଶାସକ ଓ ବିରୋଧୀ । ଗୃହରେ ଉଠିବ ନୂଆ ଓ ପୁରୁଣା ପ୍ରସଙ୍ଗ । ସ୍ୱଳ୍ପ କାଳୀନ ଅଧିବେଶନରେ ବିରୋଧୀ ଓ ଶାସକ ଦଳ କେଉଁ ପ୍ରସଙ୍ଗ ଉଠାଇବେ ତାହାକୁ ନେଇ ଆରମ୍ଭ ହୋଇଯାଇଛି ସଜବାଜ ।କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ବିଧାନସଭା ପରିସର ଏବଂ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ ହୋଇଥିବା କହିଛନ୍ତି ଉପାୟୁକ୍ତ ପ୍ରତୀକ ସିଂହ। ସୁରକ୍ଷାକୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ ହେବେ। ୮ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ। ୧୦୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ହେବେ । ପୁରା ବିଧାନସଭା ସିସି ଟିଭି ନଜରରେ ରହିବ।ତେବେ ବିଧାନସଭା ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରବିବାର ସନ୍ଧ୍ୟାରେ ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।