ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ ଜଣେ ରୋଗୀଙ୍କ ଜୀବନ। ସୁଚନା ମୁତାବକ ମାଲକାନଗିରି ଜିଲ୍ଲା କୁସୁମପୁଟ ଗାଁର ବସନ୍ତ ଖିଲଙ୍କର ମୃତ୍ୟୁ ହୋଇଛି। ମୃତ ବସନ୍ତ ଆମ୍ବ ତୋଳିବା ପାଇଁ ଗଛ ଉପରେ ଚଢି ଥିଲେ। ଆମ୍ବ ତୋଳୁଥିବା ସମୟରେ ହଠାତ ଗଛରୁ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବାଇକ ଯୋଗେ ଚିକିତ୍ସାଳୟକୁ ଆଣୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିର ତେଲ ସରିଯାଇଥିଲା। ତେଲ ନମିଳିବା ଯୋଗୁଁ ଅଧା ରାସ୍ତାରେ ଆମ୍ବଲାନ୍ସକୁ ଫୋନ କରାଯାଇଥିଲା।କିଛି ସମୟ ପରେ ଆମ୍ୱୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ବସନ୍ତଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଅତି ସଙ୍କଟାପନ୍ନ ଥବାରୁ ମାଥିଲି ଡାକ୍ତର ତାଙ୍କୁ ସେଠାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପେଟ୍ରୋଲ ଥିଲେ ହୁଏତ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇ ଥିଲେ ସେ କାଳେ ବଞ୍ଚିଯାଇଥାନ୍ତା ବୋଲି ପରିବାର ଲୋକେ କହିଛନ୍ତି। ପେଟ୍ରୋଲ ନ ମିଳିବାରୁ ବସନ୍ତଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଗୁରୁତର ଅଭିଯୋଗ କରିଛନ୍ତି।
