ପୋଲିସ୍ SI ସ୍କାମ୍, ୧୭ ଜଣଙ୍କ ଜାମିନ ଖାରଜ

କମ୍ବାଇନ ପୋଲିସ ସର୍ଭିସ ପରୀକ୍ଷା ୨୦୨୪ କେଳେଙ୍କାରୀ ମାମଲା । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସମେତ, ୧୭ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।ମାନ୍ୟବର ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଭଳି କାର୍ଯ୍ୟ କେବଳ ଆଇନ ଭଙ୍ଗ ନୁହେଁ, ବରଂ ଯୋଗ୍ୟ ଓ ମେଧାବୀ ପ୍ରାର୍ଥୀଙ୍କ ଭବିଷ୍ୟତକୁ କ୍ଷତିଗ୍ରସ୍ତ କରି ସମାଜରେ ଖରାପ ପ୍ରଭାବ ପକାଇ ଥାଏ । ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ୍ କରିଥିବା ଅଭିଯୋଗ ଥିବାରୁ ଏହା ଏକ ଗୁରୁତର ସାମାଜିକ ଓ ଆର୍ଥିକ ଅପରାଧ ବୋଲି ହାଇକୋର୍ଟ ମତ ପ୍ରକାଶ କରିଛନ୍ତି ।ତେବେ ଯଦିଓ ଅସୁସ୍ଥତା କାରଣରୁ ମୁନା ମହାନ୍ତି ପୂର୍ବରୁ ଅନ୍ତରୀଣ ଜାମିନ ପାଇଥିଲେ। କିନ୍ତୁ ସଦ୍ୟ ନିର୍ଦ୍ଦେଶନାମାରେ ମୁନା ମହାନ୍ତିଙ୍କ ଜାମିନ ଆବେଦନକୁ ମଧ୍ୟ ରଦ୍ଦ କରାଯାଇଛି। ଆଗାମୀ ୩ ସପ୍ତାହ ଭିତରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ହୋଇଛି। କମ୍ବାଇନ ପୋଲିସ ସର୍ଭିସ ଏକ୍ଜାମିନେସନ ପାଇଁ ୨୦୨୪ ମସିହାରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଶ୍ନପତ୍ର ବିଭ୍ରାଟ ଏବଂ ପରୀକ୍ଷା ପ୍ରକ୍ରିୟାରେ ଭୟଙ୍କର କେଳେଙ୍କାରୀ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାପରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।ଅସ୍ତ୍ରୋପଚାର ପରେ ଦୁଇ ସପ୍ତାହ ବିଶ୍ରାମ ନେଇ ୨୧ ଦିନ ମଧ୍ୟରେ ମୁନା ମହାନ୍ତିଙ୍କୁ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ପକ୍ଷରୁ ଏହି ମାମଲା ଆଇନଜୀବୀ ସାର୍ଥକ ନାୟକ ପରିଚାଳନା କରୁଛନ୍ତି ।

ଅଧିକ ପଢନ୍ତୁ