ହୀରାକୁଦର ୧୭ ଗେଟ୍ ଖୋଲା, ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନର ପରାମର୍ଶ

ଧୀରେ ଧୀରେ କମୁଛି ମହାନଦୀର ପ୍ରବାହ। ସକାଳ ୬ଟା ସୁଦ୍ଧା କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀର ପ୍ରବାହ ୬ଲକ୍ଷ ୨ହଜାର ୭୫୫ କ୍ୟୁସେକ୍ ରହିଛି। ପୂର୍ବ ତୁଳନାରେ ଜଳପ୍ରବାହ କମୁଥିବା ଦେଖାଯାଇଥିଲେ ମଧ୍ୟ ନଦୀ ଜଳସ୍ତର ଏବେବି ବଢୁଛି। ଏପଟେ ହୀରାକୁଦର ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମହାନଦୀରେ ବର୍ତ୍ତମାନ ଆଉ ବନ୍ୟା ପରିସ୍ଥିତି ନଥିବା କହିଛି ଜଳସମ୍ପଦ ବିଭାଗ। ପୂର୍ବରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିଲା। ହେଲେ ଏବେ ପ୍ରାୟ ଦୁଇ-ତୃତୀୟାଂଶ ଅଞ୍ଚଳରୁ ବନ୍ୟାଜଳ ଛାଡ଼ିଯାଇଛି। ଅର୍ଥାତ୍, ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପର୍ଯ୍ୟାୟକୁ ଏବେ ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ବୈତରଣୀରେ ବି ସ୍ଥିତି ନିୟନ୍ତ୍ରଣରେ ରହିଛି । ବୈତରଣୀ ନଦୀର ଆଖୁଆପଦା ଓ ଆନନ୍ଦପୁରରେ ଜଳସ୍ତର ଏବେ ବିପଦ ସଂକେତ ତଳେ ରହିଛି। ତେଣୁ ଏଠାରେ ଆଉ ବଡ଼ ବନ୍ୟା ଆଶଙ୍କା ନଥିବା ବିଭାଗୀୟ ଆକଳନ କରିଛି ।ତଥାପି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢନ୍ତୁ