କଟକ କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କଟକର ଏକ ପ୍ରତିଷ୍ଠିତ କଲେଜର ଯୁକ୍ତ୩ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଏହି ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ମାଷ୍ଟର୍ମାଇଣ୍ଡକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା। ପୁଲିସ ତାକୁ ଯାଜପୁରରୋଡ୍ ରେଳଷ୍ଟେସନ୍ ନିକଟରୁ ବୁଧବାର ଗିରଫ କରିଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ ଯାଜପୁର ଜିଲ୍ଲାର ଜଣେ ନାବାଳିକା କଟକରେ ରହି କଲେଜରେ ପାଠ ପଢୁଛନ୍ତି । ଦିଲ୍ଲୀରେ ଏକ କମ୍ପାନିରେ ଚାକିରି କରୁଥିବା ବିଞ୍ଝାରପୁରର ସତ୍ୟବ୍ରତଙ୍କ ସହିତ ଛାତ୍ରୀଙ୍କ ପୂର୍ବରୁ ପରିଚୟ ଥିଲା ।
ଗତ ଫେବ୍ରୁଆରି ମାସରେ ସତ୍ୟବ୍ରତ ଏକ ବାଇକରେ ଛାତ୍ରୀଙ୍କୁ ବୁଲିଯିବା ବାହାନାରେ କଟକରୁ ଡାକିନେଇ ପୁରୀ ଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ବିଞ୍ଝାରପୁର ଅଞ୍ଚଳର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଥିଲେ । ଦୁଇଟି ବାଇକରେ ସମସ୍ତେ ପୁରୀ ଯାଇଥିଲେ । ଏକ ହୋଟେଲରେ ସମସ୍ତେ ରହିଥିଲେ । ସେଠାରେ ନାବାଳିକାଙ୍କୁ ଖାଦ୍ୟ ଓ ପାନୀୟରେ ନିଶା ମିଶାଇ ଦିଆଯାଇଥିଲା । ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନି ଜଣ ମିଶି ନାବାଳିକାଙ୍କୁ ହୋଟେଲ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଥାନାରେ ମାମଲା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଉ ୩ଜଣଙ୍କୁ ଖୋଜୁଛି ପୁଲିସ୍।
