ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ

ଆଜିଠୁ ସଂସଦର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ଏପ୍ରିଲ ୧୮ ତାରିଖ ଯାଏଁ ଚାଲିବ ଅଧିବେଶନ । ଆସିବ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ।ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ରେ ସଂଶୋଧନ ନିମନ୍ତେ ବିଲ୍ ଆଗତ କରିବେ । ଲୋକସଭା ଆସନ ବୃଦ୍ଧି, ନିର୍ବାଚନମଣ୍ଡଳୀର ପୁନଃ ସୀମା ନିର୍ଦ୍ଧାରଣ ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତ୍ବରାନିତ କରିବା ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଲୋକସଭାରେ ଯେଉଁ ୫୪୩ ଆସନ ରହିଛି, ତାହା ୧୯୭୧ ଜନଗଣନା ଆଧାରରେ ସ୍ଥିର ହୋଇଥିଲା । ଶେଷଥର ପାଇଁ ୨୦୦୨ରେ ସୀମା ପୁନଃ ନିର୍ଦ୍ଧାରଣ ହୋଇଥିଲା । କିନ୍ତୁ ସେତେବେଳେ କେବଳ ଆସନଗୁଡ଼ିକର ସୀମା ବଦଳିଥିଲା । ଆସନ ସଂଖ୍ୟା ଅପରିବର୍ତ୍ତିତ ରହିଥିଲା । ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବୁଧବାର ବିରୋଧୀ ଦଳଙ୍କ ‘ଇଣ୍ଡି’ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ନୂଆଦିଲ୍ଲୀର ୧୦ ରାଜାଜୀ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେ, ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ, ରାଜ୍ୟସଭା ସାଂସଦ କପିଲ ସିବଲ ଏବଂ ‘ଇଣ୍ଡି’ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ । ବୈଠକରେ ନେତାମାନେ ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ର ସଂଶୋଧନ ଲାଗି ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକସଭାରେ ଦକ୍ଷିଣ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱକୁ ଏହା ଦୁର୍ବଳ କରିଦେବା ନେଇ ସେମାନେ ଯୁକ୍ତି ବାଢ଼ିଛନ୍ତି ।

ଅଧିକ ପଢନ୍ତୁ