ପୁରୀରେ ପ୍ରଥମ ଅନ୍ତର୍ଜାତୀୟ ବ୍ରିକ୍ସ ସମ୍ମିଳନୀ ଆଜି ଠାରୁ ତିନିଦିନ ଧରି ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ (ଡିଆର୍ଆର୍ଡବ୍ଲୁଜି)ର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ବ୍ରାଜିଲ୍, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଏଥିରେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗ ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଓଡ଼ିଶାର ପାରମ୍ପରିକ ପଦ୍ଧତିରେ ଅତିଥିମାନଙ୍କୁ ସ୍ବାଗତ କରାଯାଇଛି। ଏହି ସମ୍ମିଳନୀକୁ ଦୃଷ୍ଟିରେ ରଖି ହୋଟେଲ ଚତୁଃପାର୍ଶ୍ବ ସମେତ ପୁରୀ ବାଇପାସ୍ ରାସ୍ତା, ସମୁଦ୍ର ବେଳାଭୂମିରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦେଶୀ ଅତିଥିଙ୍କୁ ସର୍ବୋତ୍କୃଷ୍ଟ ଆତିଥେୟତା ପ୍ରଦାନ ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି। ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିଦେଶୀ ରାଷ୍ଟ୍ର ପ୍ରତିନିଧିଙ୍କୁ କଡ଼ା ସୁରକ୍ଷାରେ ପୁରୀ ଅଣାଯାଇଛି। ୪ ତାରିଖ ଅପରାହ୍ଣରେ ବିଦେଶୀ ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ। ୫ରେ ରାମଚଣ୍ଡୀ ଓସୱାଲ ଯାଇ ମକଡ୍ରିଲ ଦେଖିବାର କାର୍ଯ୍ୟକ୍ରମ ରହିଛି। ସେଥିରୁ କେତେକ ପ୍ରତିନିଧି ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେମାନେ ସ୍ବର୍ଣ୍ଣାଭ ବେଳାଭୂମି ଦେଖିବାର କାର୍ଯ୍ୟକ୍ରମ ରହିଛି। ତେଣୁ ବ୍ଲୁ ଫ୍ଲାଗ ବେଳାଭୂମି ଓ ନୀଳାଦ୍ରି ବେଳାଭୂମିକୁ ପ୍ରସ୍ତୁତ କରାଯାଇଛି।ଡିଜିପିଙ୍କ ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍ ନାୟକ, ଏସପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ମିଳନୀ ନେଇ ପୁରୀ ସହର ପ୍ରସ୍ତୁତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ବ୍ୟାନର ପୋଷ୍ଟର ଲଗାଯାଇଛି ।
