“ପ୍ରକୃତିରୁ ପ୍ରେରଣା, ଜଳବାୟୁ ଓ ଆମର ଭବିଷ୍ୟତ” ବାର୍ତ୍ତା କୁ ଆଧାର କରି ଇମ୍ଫା କାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ପରିବେଶ ସଚେତନତା ଓ ସଂରକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଇମ୍ଫା କାରଖାନା ର ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି. ଭି. ରାକେଶଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିବା ବେଳେ ରାୟଗଡା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦର ଉପ ପରିବେଶ ଯନ୍ତ୍ରୀ ଶ୍ରୀ ରିପୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ନିଜ ଅଭିଭାଷଣରେ ଶ୍ରୀ ସାହୁ ଇମ୍ଫା ର ଉତ୍କୃଷ୍ଟ ପରିବେଶ ଅନୁପାଳନ ଓ ସ୍ଥାୟୀ ବିକାଶମୂଳକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ବିଭିନ୍ନ ପରିଦର୍ଶନ ସମୟରେ କୌଣସି ନକାରାତ୍ମକ ପରିବେଶଗତ ଅବଲୋକନ ନ ଥିବା କଥା ଉଲ୍ଲେଖ କରି, କମ୍ପାନୀର ୨୫୦ କେଏଲଡି ଏସଟିପି, ଶୂନ୍ୟ ଜଳ ଅପଚୟ ନୀତି ଓ ଜଳ ସଂରକ୍ଷଣ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ ଛାତ ଉପରେ ବର୍ଷାଜଳ ସଂରକ୍ଷଣ, ଜଳ ଓ ବିଦ୍ୟୁତ ସଞ୍ଚୟ ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଶ୍ରୀ ଜି. ଭି. ରାକେଶ ଇମ୍ଫା ର ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ପ୍ରତି ଦୃଢ଼ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲେ। ସେ କମ୍ପାନୀର ସମ୍ପ୍ରତି ଆରମ୍ଭ ହୋଇଥିବା ୧୩୫ ମେଗାୱାଟ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପ ବିଷୟରେ ସୂଚନା ଦେଇ କହିଥିଲେ ଯେ, ଏହା କୋଇଲା ଆଧାରିତ ବିଦ୍ୟୁତ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ। ସେ ବୃକ୍ଷରୋପଣ ଓ ଜନସହଭାଗିତାକୁ ପରିବେଶ ସୁରକ୍ଷାର ମୂଳ ଆଧାର ବୋଲି ବର୍ଣ୍ଣନା କରିଥିଲେ।
ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିପି କ୍ୟାମ୍ପ ମାର୍କେଟ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ଫଳଜ ଚାରା ବଣ୍ଟନ, ଗୋପବନ୍ଧୁ ନଗର କଲୋନୀ ଓ ବଜାର ଅଞ୍ଚଳରେ ସଚେତନତା ରାଲି, ପରିବେଶ ବିଷୟକ କୁଇଜ୍ ପ୍ରତିଯୋଗିତା ଏବଂ ପରିବେଶ ସୁରକ୍ଷା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀମତୀ ସୋନିଆ ପୁରୋହିତ, ବରିଷ୍ଠ ଅଧିକାରିଣୀ (ପରିବେଶ ଓ କ୍ୱାଲିଟି କଣ୍ଟ୍ରୋଲ୍) ଏବଂ ଶ୍ରୀ ଦେବାଶିଷ ମିଶ୍ର, ଅଧିକାରୀ (କ୍ୱାଲିଟି କଣ୍ଟ୍ରୋଲ୍) ସଫଳତାର ସହ ସଂଯୋଜନା କରିଥିଲେ। ଉପ ମହାପ୍ରବନ୍ଧକ – ମାନବ ସମ୍ବଳ ଓ ପ୍ରଶାସନ ଶ୍ରୀ କ୍ଷିତିଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଚାରୀମାନଙ୍କ ଦ୍ୱାରା ପରିବେଶ ସଚେତନତା ଭିତ୍ତିକ ଏକ ନାଟିକା ପରିବେଷଣ କରାଯାଇଥିଲା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଏହାର ସମାପନ ହୋଇଥିଲା।
ଏହି କାର୍ଯ୍ୟକ୍ରମ ଇମ୍ଫା ପରିବେଶ ସୁରକ୍ଷା, ସମୁଦାୟ ସହଭାଗିତା ଏବଂ ଦାୟିତ୍ୱବାନ ଶିଳ୍ପ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତାର ଏକ ଉଜ୍ଜ୍ୱଳ ନିଦର୍ଶନ ପ୍ରଦାନ କରାଯାଇଥିଲା ।
