ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ନେଉଥିଲେ ଲାଞ୍ଚ । ନରସିଂହପୁର TPCODL ଲାଇନ୍ ମ୍ୟାନ୍ ଲାଞ୍ଚ ନେବା ବେଳେ ଧରାପଡିଲେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଲାଇନ୍ ମ୍ୟାନ୍ ଜଣଙ୍କ ହେଲେ ଧର୍ମ ନିରଞ୍ଜନ ଚୌଧୁରୀ ।ସୂଚନା ଅନୁଯାୟୀ, ଅଭିଯୋଗକାରୀ ଚାଷୀଙ୍କ ଚାଷଜମି ଦେଇ ଏକ ୧୧ କେଭି ବିଦ୍ୟୁତ୍ ଲାଇନ୍ ଯାଇଥିଲା। ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ ନଷ୍ଟ ହୋଇଯାଇଥିଲା ଏବଂ ବିପଜ୍ଜନକ ଅବସ୍ଥାରେ ଥିଲା। କୌଣସି ଦୁର୍ଘଟଣାର ଆଶଙ୍କା କରି ଉକ୍ତ ଖୁଣ୍ଟ ବଦଳାଇବା ପାଇଁ ଚାଷୀ ଜଣକ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ।ଏହି କାମ ଦାୟିତ୍ୱ ନେଇଥିବା ଲାଇନମ୍ୟାନ ଧର୍ମ ନିରଞ୍ଜନ ଚୌଧୁରୀ ଭଙ୍ଗା ଖୁଣ୍ଟ ବଦଳାଇବା ପାଇଁ ଚାଷୀଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ଜୁନ୍ ୨ ତାରିଖରେ ଖୁଣ୍ଟ ବଦଳାଯିବା ପରେ ଅଭିଯୁକ୍ତ ଜଣକ ୟୁପିଆଇ (UPI) ମାଧ୍ୟମରେ ୮,୦୦୦ ଟଙ୍କା ଗ୍ରହଣ କରିଥିଲେ। ତେବେ ବଳକା ଟଙ୍କା ନଦେଲେ ସେ ଜମିରୁ ପୁରୁଣା ଭଙ୍ଗା ଖୁଣ୍ଟଟିକୁ ହଟାଇବେ ନାହିଁ ବୋଲି ଜିଦ୍ ଧରିଥିଲେ। ଚାଷୀ ଜଣକ ବାକି ୧୭,୦୦୦ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ, ଶେଷରେ ୧୫,୦୦୦ ଟଙ୍କାରେ କଥା ଛିଣ୍ଡିଥିଲା।ବାରମ୍ବାର ଟଙ୍କା ମାଗିବାରୁ ଅତିଷ୍ଠ ହୋଇ ଚାଷୀ ଜଣକ ଏନେଇ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି ।ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ସହିତ ଜଡ଼ିତ ଗୋଟିଏ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
