ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ପୁନର୍ବାର ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ କ୍ଷେତ୍ର ସ୍ତରରେ ଉପସ୍ଥିତ ଅଛି, ଆବଶ୍ୟକୀୟ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରଖିବା ସହିତ ପରିସ୍ଥିତି ଉପରେ ନଜର ରଖିଛି । ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଉଦ୍ଧାର ଓ ସହାୟତା କାର୍ଯ୍ୟର ସୁଚାରୁ ପରିଚାଳନା ପାଇଁ ୩ ଜଣ ବରିଷ୍ଠ ତଥା ଅଭିଜ୍ଞ ଅଧିକାରୀଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରି କାର୍ଯ୍ୟର ତଦାରଖ କରୁଛନ୍ତି । ପ୍ରଭାବିତ ଲୋକଙ୍କ ନିକଟରେ ଶୀଘ୍ର ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ସୋମବାର ମୁଁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବି ।
