ଲିଜ୍ ଆଧାରରେ ଦିଆଯାଇଥିବା ସରକାରୀ ଜମିକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିବା ଅଭିଯୋଗ ପରେ ସରକାର ଦୃଷ୍ଟିବାଧିତ ସଂଘକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୂଚନା ଅନୁଯାୟୀ, ଦୃଷ୍ଟିବାଧିତ ସଂଘକୁ କିଛି ବର୍ଷ ପୂର୍ବେ ସମାଜସେବା ଏବଂ ପୁନର୍ବାସନ କାର୍ଯ୍ୟକ୍ରମ ପାଇଁ ସରକାରୀ ଜମି ଲିଜ୍ ଆଧାରରେ ଦିଆଯାଇଥିଲା । ଏହି ଜମିରେ ଶିକ୍ଷା, ପ୍ରଶିକ୍ଷଣ ଏବଂ ଦୃଷ୍ଟିବାଧିତ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ଚାଲାଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଅଭିଯୋଗ ମିଳିଛି ଯେ, ଏହି ଜମିର ଏକ ଅଂଶକୁ ବ୍ୟବସାୟିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଇଛି । ଆର୍ଥିକ ଲାଭ ହେବା ଭଳି କାର୍ଯ୍ୟ ଚାଲିଥିବା ଅଭିଯୋଗ ପରେ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଛି ।ସରକାର ପକ୍ଷରୁ ଜାରି ହୋଇଥିବା ନୋଟିସ୍ରେ ସଂଘକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଯଦି ସନ୍ତୋଷଜନକ ଉତ୍ତର ମିଳିନଥାଏ, ତେବେ ଲିଜ୍ ବାତିଲ କରାଯିବା ସହ ଜମି ଫେରାଇ ନେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ପଷ୍ଟ କରାଯାଇଛି ।
