ଶ୍ରୀମନ୍ଦିର ସମ୍ପର୍କିତ ଦୁଇଟି ଶବ୍ଦ ଓ ଗୋଟିଏ ଲୋଗୋ ପାଟେଣ୍ଟ ଅନ୍ତର୍ଭୁକ୍ତ । ଆନନ୍ଦ ବଜାର, ଶ୍ରୀପତିତପାବନ ଦୁଇ ଶବ୍ଦାବଳୀ ଓ ଶ୍ରୀଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା ଏସ୍ଜେଟିଏ ଲୋଗୋକୁ ମିଳିଛି ଆଇପି ଇଣ୍ଡିଆର ଅନୁମୋଦନ । ଖୁବ୍ଶୀଘ୍ର ଆଉ ୨୬ଟି ନାମକୁ ନେଇ ରହିଥିବା ଆବେଦନପତ୍ରକୁ ମିଳିବ ଅନୁମୋଦନ । ଏନେଇ ଅଧିକ ତଥ୍ୟ ମାଗିଛି ଆଇପି ଇଣ୍ଡିଆ ବା ଇଣ୍ଡିଆନ୍ ପାଟେଣ୍ଟ ଅଫିସ୍ । ପାଟେଣ୍ଟ ନିୟମ ଅନୁଯାୟୀ କୌଣସି ଜିନିଷ, ଦ୍ରବ୍ୟ କିମ୍ବା ଶବ୍ଦ ଅଥବା ଲୋଗୋକୁ ଅନୁମୋଦନ ମିଳିଲେ ତାହା ମୂଳ ସ୍ଥାନଠାରୁ ଅନ୍ୟତ୍ର ବ୍ୟବହାର, ବିକ୍ରି, ପ୍ରସ୍ତୁତି କିମ୍ବା ଆମଦାନୀ ଉପରେ ରୋକ ଲାଗିଥାଏ । ‘ଜଗନ୍ନାଥ ଧାମ’ ନାମ ପାଇଁ ମଧ୍ୟ ପାଟେଣ୍ଟ ଆବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ ।ପଶ୍ଚିମବଙ୍ଗର ଦୀଘାରେ ମମତା ସରକାର ଜଗନ୍ନାଥ ଧାମ ଶବ୍ଦ ବ୍ୟବହାର କରିବା ଭଳି ମହାପ୍ରସାଦ, ନିର୍ମାଲ୍ୟ, ଆନନ୍ଦବଜାର, ରତ୍ନ ବେଦୀ, ଶ୍ରୀଗୁଣ୍ଡିଚା ମନ୍ଦିର, ବଡ଼ଦେଉଳ, ଶଙ୍ଖକ୍ଷେତ୍ର, ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଭଳି ଅନେକ ନାମରେ ଅପବ୍ୟବହାର ହେଉଛି । ଶ୍ରୀମନ୍ଦିର ପ୍ରଶାସନ ଲୋଗୋର ଦୁରୁପଯୋଗ କରି ଜାଲ ୱେବସାଇଟ୍ କରାଯାଉଛି । ଲୋକେ ଏହାଦ୍ୱାରା ଠକେଇର ଶିକାର ହେଉଛନ୍ତି । ମୂଳପୀଠର ନାମ ଓ ପରମ୍ପରା ନାମରେ ବ୍ୟବସାୟୀକରଣ କରାଯାଉଛି । ଏହି ଶବ୍ଦ ଓ ପରମ୍ପରାର ଦୁରୁପଯୋଗ ରୋକିବାକୁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।
