ରାୟଗଡ଼ା ପୁଲିସକୁ ସଫଳତା ମାଓବାଦୀଙ୍କ ଗୁପ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଲିସକୁ ମାଓବାଦୀ ବିରୋଧୀ ଅଭିଯାନରେ ଏକ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ପୁଲିସ ଏକ ଜଙ୍ଗଲରେ ଚଢ଼ାଉ କରି ମାଓବାଦୀଙ୍କ ଦ୍ୱାରା ଲୁଚାଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାଜ ପ୍ରସାଦ।ସୂଚନା ଅନୁଯାୟୀ, ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଲପୁର ଆଉଟପୋଷ୍ଟ ଅଧୀନରେ ଥିବା ଢେପାଗୁଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରାୟଗଡ଼ା ପୁଲିସ ପକ୍ଷରୁ ଡିଭିଏଫ୍ ଏବଂ ଏସଓଜି ବାହିନୀକୁ ନେଇ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ପୁଲିସ ମାଓବାଦୀଙ୍କ ଲୁକ୍କାୟିତ ସ୍ଥାନ ଠାବ କରିଥିଲେ। ଏହାପରେ ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳର ସହାୟତାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଉକ୍ତ ସ୍ଥାନରେ ଯାଞ୍ଚ କରାଯାଇଥିଲା ଏବଂ ଗତ ୧୩ ତାରିଖରେ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଉକ୍ତ ଗୁପ୍ତ ଡମ୍ପରୁ ପୋଲିସ ଏକ ୩୦୩ ରାଇଫଲ୍ ସହିତ ୩୭ ରାଉଣ୍ଡ ଗୁଳି, ୧୦ ଟି ଖାଲି ୧୨ ବୋର କାର୍ଟିଜ୍, ଏକ ୩୦୩ ମ୍ୟାଗାଜିନ୍, ଏବଂ ଏକ ପାଉଚ୍ ଜବତ କରିଛି। ଏହା ସହିତ ୬ ଟି ଚାର୍ଜର କ୍ଲିପ୍, ୮ ମିଟର କୋର୍ଡେକ୍ସ ତାର, ପ୍ରାୟ ୫୦ ଗ୍ରାମ ଗନ ପାଉଡର, ଏବଂ ୫ ବିଡ଼ା କୋଡେକ୍ସ ଭଳି ବିପଜ୍ଜନକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ଏହା ବ୍ୟତୀତ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ୨ ଟି ମାଓବାଦୀ ସାହିତ୍ୟ ପୁସ୍ତକ, ୫ ହଳ ପ୍ଲାଷ୍ଟିକ ଚପଲ, ୫ ଟି ଛତା, ୩ ଟି କମ୍ବଳ, ୬ ଟି ମୁଣ୍ଡତେଲ, ଏବଂ ୪ ଟି ଛୁରୀ ମଧ୍ୟ ଜବତ ହୋଇଛି। ସେହିପରି ସେମାନଙ୍କର ଖାଦ୍ୟ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ରଖାଯାଇଥିବା ୫ ପ୍ୟାକେଟ୍ ଲୁଣ, ୪ ପ୍ୟାକେଟ୍ ଚିନି, ୭ ଟି ଚା’ ପ୍ୟାକେଟ୍, ୫ ଟି ଅମୁଲ କ୍ଷୀର ପ୍ୟାକେଟ୍, ୬ ଟି ସାଧାରଣ ଟି-ସାର୍ଟ, ୭ ଟି ପାନିଆ, ୫ ଟି ସାବୁନ, ଏବଂ ୩ ଟି ଡେଟଲ ବୋତଲ ଜବତ କରିଛି। ପୁଲିସ ସୂଚନା ଦେଇଛି ଯେ, ଜବତ ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଆନୁଷଙ୍ଗିକ ସାମଗ୍ରୀ ସକ୍ରିୟ ମାଓବାଦୀଙ୍କ ଅଟେ। ସୂଚନାଯୋଗ୍ୟ ଯେ, ଜାନୁଆରୀ-୨୦୨୫ ରୁ ୩୧-ମାର୍ଚ୍ଚ-୨୦୨୬ ମଧ୍ୟରେ ରାୟଗଡ଼ା ପୋଲିସ ନିକଟରେ ରାଜ୍ୟ କମିଟି ସଦସ୍ୟ ନିଖିଲ ଏବଂ ଇନ୍ଦୁଙ୍କ ସମେତ ମୋଟ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଭବିଷ୍ୟତରେ ଯେପରି ମାଓବାଦୀ କାର୍ଯ୍ୟକଳାପ ପୁନର୍ବାର ମୁଣ୍ଡ ଟେକି ନପାରେ, ସେଥିପାଇଁ ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫ୍ ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ କୋମ୍ବିଂ ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି।

ଅଧିକ ପଢନ୍ତୁ