କାଲିଫର୍ଣ୍ଣିଆର ଏଡୱାର୍ଡସ ଏୟାରଫୋର୍ସ ବେସରେ ଆମେରିକୀୟ ଯୁଦ୍ଧବିମାନ ”ବି-୫୨” କ୍ରାସ୍

ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ସୋମବାର ଘଟିଥିବା ଏହି ଭୟାବହ ଦୁର୍ଘଟଣାରେ ବିମାନରେ ଥିବା ୮ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ପରେ ସଙ୍ଗେ ସଙ୍ଗେ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ସେନା ସାମଗ୍ରୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଏଡୱାର୍ଡସ ଏୟାରଫୋର୍ସ ବେସ୍ ପକ୍ଷରୁ ସୋସିଆଲ ମିଡିଆ ”ଏକ୍ସ”ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ସମଗ୍ର ଏୟାରଫିଲ୍ଡକୁ ବନ୍ଦ କରିଦିଆଯାଇଛି ଏବଂ ସେଠାକୁ ଆସୁଥିବା ଅନ୍ୟ ସମସ୍ତ ସାମରିକ ବିମାନଗୁଡ଼ିକର ରୁଟ୍ ବଦଳାଇ ଦିଆଯାଇଛି । ଏହା ସହିତ ଏହି ସେନା ବେସକୁ ଆସୁଥିବା ସାଧାରଣ ପର୍ଯ୍ୟଟକ ଓ ପରିଦର୍ଶକମାନଙ୍କ ପାସକୁ ମଧ୍ୟ ସାମୟିକ ଭାବେ ବାତିଲ କରାଯାଇଛି।ଏହି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞଙ୍କ ମତରେ ଉଡ଼ାଣ ଆରମ୍ଭ ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି, ଇଞ୍ଜିନ ସମସ୍ୟା କିମ୍ବା ଟେଷ୍ଟିଂ ଉପକରଣ ଫେଲ୍ ହେବା ଯୋଗୁଁ ଏମିତି ହୋଇଥାଇପାରେ। ସମ୍ପୂର୍ଣ୍ଣ ରିପୋର୍ଟ ଆସିବାକୁ ପ୍ରାୟ ୬ ମାସ ସମୟ ଲାଗିପାରେ। ୨୦୧୬ ମସିହା ପରେ B-52 ବିମାନର ଏହା ହେଉଛି ପ୍ରଥମ ମାରାତ୍ମକ ଦୁର୍ଘଟଣା। ୧୯୫୦ ଦଶକରୁ ଆମେରିକା ବାୟୁସେନାରେ ସେବା ଯୋଗାଇ ଆସୁଥିବା ଏହି ଦୂରଗାମୀ ବୋମାବର୍ଷୀ ବିମାନ ପରମାଣୁ ଏବଂ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ। ଦୁର୍ଘଟଣାସ୍ଥଳ ବାହାରେ ଅନ୍ୟ କୌଣସି ବାହ୍ୟ କ୍ଷୟକ୍ଷତି କିମ୍ବା କେହି ଆହତ ହୋଇନଥିବା ସୂଚନା ମିଳିଛି। ବୋଇଂ କମ୍ପାନୀ ଏବଂ ସମଗ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରାଯାଇଛି।

ଅଧିକ ପଢନ୍ତୁ