ଉତ୍ତରପ୍ରଦେଶ ଅଲିଗଡ଼ରେ ଏକ ପ୍ରଶିକ୍ଷଣ ବିମାନ କାସଗଞ୍ଜ ପୋଲିସ୍ ଲାଇନ ପଛପଟ ହାଇୱେ ଉପରେ ଖସି ପଡିଛି। ଏହି ଦୁର୍ଘଟଣାରେ ବିମାନ ଚାଳନା କରୁଥିବା ମହିଳା ପାଇଲଟ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏୟାରକ୍ରାଫ୍ଟରେ ଜଣେ ମହିଳା ଟ୍ରେନି ପାଇଲଟ୍ ଥିଲେ । ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଓ ପ୍ରଶାସନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ପାଇଲଟଙ୍କୁ ପ୍ରଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ, ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡାକ୍ତରମାନଙ୍କ ଅନୁଯାୟୀ ତାଙ୍କର ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ।ଅଲିଗଡ଼ ଏୟାରପୋର୍ଟ ନିର୍ଦ୍ଦେଶକ ସତ୍ୟବ୍ରତ ସାରସ୍ୱତ କହିଛନ୍ତି ଯେ ଚେତକ ଏଭିଏସନର ଏହି ବିମାନ ମଧ୍ୟାହ୍ନ ୩ଟା ୩୦ ମିନିଟ୍ ରେ ଏୟାରପୋର୍ଟରୁ ଉଡିଥିଲା। ତେବେ ଦୁର୍ଘଟଣା ସୂଚନା ଅପରାହ୍ନ ୪ଟା ବେଳେ ମିଳିଛି। ଦୁର୍ଘଟଣା ସୂଚନା ପାଇ ଅଲିଗଡ଼ ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ଚେତନ ଏଭିଏସନର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ଗୁରୁତ୍ୱକୁ ଦେଖି ମାମଲାରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କୁ ସୂଚିତ କରାଯାଇଛି। ଡିଜିସିଏଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହି ଦୁର୍ଘଟଣାର ଯାଞ୍ଚ କରିବେ।
