ରାୟଗଡା ତା ୨୯/୦୬/୨୬ (ନିପ୍ର) ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ସକାଳ ୯ଟାରେ ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଏହି ଗଣତି କାର୍ଯ୍ୟରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ପ୍ରାୟ ୨୫୦ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲିବା ଓ ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା। ସୂଚନା ଥାଉକି, ପ୍ରତି ବର୍ଷ ପ୍ରାୟ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇଥାଏ। ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରେ ହୁଣ୍ଡି ଖୋଲାଯାଇ ଗଣତି ହୋଇଥିଲା ଯାହାକି ପୁଣି ପ୍ରାୟ ୫ ମାସ ୧୦ ଦିନ ପରେ ମାଁ ଙ୍କ ଦାନ ହୁଣ୍ଡି ଖୋଲାଗଲା। ପୂର୍ବ ଥର ୯ ଟି ହୁଣ୍ଡିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ସମେତ ୩୦ ଗ୍ରାମ୍ ସୁନା ଓ ୨୧୫୦ ଗ୍ରାମ୍ ରୁପା ବାହାରିଥିଲା। ଆଜିର ଦାନ ହୁଣ୍ଡିରୁ ଦାନ ଆକାରରେ ସର୍ବକାଳୀନ ରେକର୍ଡ ଅର୍ଥ ସମୁଦାୟ ୨କୋଟି ୨୨ଲକ୍ଷ ୯ହଜାର ୬୨୩ ଟଙ୍କା ସଂଗୃହୀତ ହୋଇଥିବା ବେଳେ ସୁନା ୩୨ ଗ୍ରାମ, ରୂପା ୧ କେଜି ୩୦୦ ଗ୍ରାମ ଓ ବିଦେଶୀ ନୋଟ୍ ୯ ଟି ମିଳିଥିବା ସୂଚନା ମିଳିଛି। ।

ଦେବୋତ୍ତର ବିଭାଗ ପକ୍ଷରୁ ନିରୀକ୍ଷକ ପୁଷ୍ପିତା ବେହେରା ଉପସ୍ଥିତ ରହି ହୁଣ୍ଡି ଗଣତି ଆରମ୍ଭ କରାଇଥିଲେ । ଆଜିର ଏହି ଗଣତି କାର୍ଯ୍ଯକ୍ରମ ସକାଳ ୯ ଟା ସମୟରୁ ଆରମ୍ଭ ହୋଇ ରାତ୍ରି ୯ ଟା ଅର୍ଥାତ୍ ୧୨ ଘଣ୍ଟା ସମୟ ମଧ୍ୟରେ ସମାପ୍ତ ହୋଇଥଲା। ଏହି କାର୍ଯ୍ୟକ୍ରମ କୁ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ରାଇଶିଂ ବିଡିକା, ଟ୍ରଷ୍ଟ ର ଅଧୀକ୍ଷକ ଜାନକୀ ବଲ୍ଲଭ ମହାନ୍ତି, ଟ୍ରଷ୍ଟ ର ସଦସ୍ୟ ମଙ୍ଗରାଜ ହୁଇକା, ପେଦିନା ବାସୁଦେବ ରାଓ, ଦେବେନ୍ଦ୍ର ବେହେରା, ଉପସ୍ଥିତ ରହି ଏହାର ତଦାରଖ କରିଥିଲେ ।
