ଘରୋଇ ସ୍କୁଲ୍ ଖୋଲିବା ପାଇଁ ଏଣିକି ବାଧ୍ୟତାମୂଳକ ନୁହେଁ ଏସେନ୍ସିଆଲିଟି ସାର୍ଟିଫିକେଟ

ରାଜ୍ୟରେ ଘରୋଇ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଗଣଶିକ୍ଷା ବିଭାଗ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଓଡ଼ିଶା ଶିକ୍ଷା ଆଇନ ଓ ଶିଶୁଙ୍କ ନିଶୁଳ୍କ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର (RTE) ଆଇନ ସମେତ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଆଇନକୁ ଆଧାର କରି ଏହି ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି।ନୂଆ ଘରୋଇ ବିଦ୍ୟାଳୟ ସ୍ଥାପନ କରୁଥିବା ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଏଥିସହ ବିଦ୍ୟାଳୟ ପରିସରରେ ସୁରକ୍ଷିତ ପରିବେଶ ସହ ପର୍ଯ୍ୟାପ୍ତ ଜମି, ଶ୍ରେଣୀଗୃହ, ପୃଥକ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳ ପଡ଼ିଆ ଓ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ୍ ଭଳି ମୌଳିକ ସୁବିଧା ରହିବା ଆବଶ୍ୟକ। ସେହିପରି ଯୋଗ୍ୟ ଓ ପ୍ରଶିକ୍ଷିତ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତିରେ ସମସ୍ତ ମାନଦଣ୍ଡ ପାଳନ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।ନୂଆ ନିୟମ ଅନୁସାରେ, ପ୍ରଥମେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ସୁପାରିସ ପଠାଯିବ। ତାଙ୍କ ଅନୁମୋଦନ ପରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଓପେନିଂ ପରମିସନ ଜାରି କରିବେ। ଏଥିସହ ବିଦ୍ୟାଳୟଗୁଡ଼ିକର ନିୟମିତ ଯାଞ୍ଚ ଓ ତଦାରଖ ଦାୟିତ୍ୱ DEO ଏବଂ BEOଙ୍କୁ ଦିଆଯାଇଛି। କୌଣସି ଘରୋଇ ବିଦ୍ୟାଳୟ ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସଂଶୋଧିତ ନିୟମ ଅନୁଯାୟୀ, ରାଜ୍ୟରେ କୌଣସି ଘରୋଇ ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାରଙ୍କଠାରୁ ଓପେନିଂ ପରମିସନ ଏବଂ ସାର୍ଟିଫିକେଟ ଅଫ୍ ରେକଗ୍ନିସନ (CoR) ହାସଲ କରିବା ବାଧ୍ୟତାମୂଳକ ରହିବ। ଓଡ଼ିଆ, ଇଂରାଜୀ କିମ୍ବା ଅନ୍ୟ ଯେକୌଣସି ମାଧ୍ୟମରେ ପାଠପଢ଼ା ହେଉଥିବା ସମସ୍ତ ଘରୋଇ ବିଦ୍ୟାଳୟ ପାଇଁ ଏହି ନିୟମ ସମାନ ଭାବେ ପ୍ରଯୁଜ୍ୟ ହେବ। ତେବେ, ବିଦ୍ୟାଳୟ ସ୍ଥାପନ ପାଇଁ ଏପର୍ଯ୍ୟନ୍ତ ବାଧ୍ୟତାମୂଳକ ଥିବା ‘ଏସେନ୍ସିଆଲିଟି ସାର୍ଟିଫିକେଟ’ (Essentiality Certificate) ଦାଖଲ କରିବାର ସର୍ତ୍ତକୁ ବିଭାଗ ହଟାଇ ଦେଇଛି।

ଅଧିକ ପଢନ୍ତୁ