ରାୟଗଡ଼ା ତା ୧୨/୦୭(ନିପ୍ର) ରାୟଗଡ଼ା ଜିଲ୍ଲାର ଜେକେ ପେପର ମିଲ୍ରୁ ନାଗାବଳୀ ନଦୀକୁ ନିଷ୍କାସନ ହେଉଥିବା ବର୍ଜ୍ୟଜଳର ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB), ରାୟଗଡ଼ାଙ୍କ ରେଫରେନ୍ସ ନମ୍ବର ୪୨/ଡବ୍ଲ୍ୟୁ ଡବ୍ଲ୍ୟୁ/୨୦୨୪-୨୫ ର ଜଳ ବିଶ୍ଳେଷଣ ରିପୋର୍ଟ ଅନୁଯାୟୀ, ଶିଳ୍ପ ବର୍ଜ୍ୟଜଳରେ ଅନୁମତିପ୍ରାପ୍ତ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ସୀମା ୩୦ ମି.ଗ୍ରା./ଲିଟର ଥିବାବେଳେ ଏଫ୍ଲୁଏଣ୍ଟ ବଣ୍ଡ୍-୨ରେ ୩୭ ମି.ଗ୍ରା./ଲିଟର ଏବଂ ଏସ ଟି ପି ଆଉଟ୍ ଲେଟରେ ୫୨ ମି.ଗ୍ରା./ଲିଟର ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ରେକର୍ଡ ହୋଇଥିବା ଦର୍ଶାଯାଇଛି।
ପରିବେଶ ବିଶେଷଜ୍ଞଙ୍କ ମତରେ, ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ମାତ୍ରା ବଢ଼ିବାର ଅର୍ଥ ହେଉଛି ପାଣିରେ ଜୈବ ବର୍ଜ୍ୟ ପଦାର୍ଥର ପରିମାଣ ଅଧିକ ଥିବା। ଏହି ବର୍ଜ୍ୟକୁ ଭାଙ୍ଗିବା ପାଇଁ ଅଣୁଜୀବମାନେ ପାଣିରେ ଥିବା ଦ୍ରବୀଭୂତ ଅମ୍ଳଜାନ ବ୍ୟବହାର କରନ୍ତି। ଫଳରେ ନଦୀରେ ଅମ୍ଳଜାନର ପରିମାଣ କମିଯାଇ ମାଛ ଓ ଅନ୍ୟ ଜଳଜୀବଙ୍କ ଜୀବନ ପ୍ରଭାବିତ ହୋଇପାରେ। ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ରହିଲେ ନଦୀର ପରିବେଶ ସନ୍ତୁଳନ ବିଗିଡ଼ିବାର ଆଶଙ୍କା ରହିଥାଏ।ପାନୀୟ ଜଳର ସୁରକ୍ଷା ନିର୍ଣ୍ଣୟ ପାଇଁ ଜୀବାଣୁ, ଭାରୀ ଧାତୁ, ରାସାୟନିକ ପ୍ରଦୂଷକ ଏବଂ ଅନ୍ୟାନ୍ୟ ଜଳ ଗୁଣବତ୍ତା ମାନକର ପରୀକ୍ଷା ଆବଶ୍ୟକ। ତେଣୁ, ନଦୀର ପାଣିକୁ ଉପଯୁକ୍ତ ବିଶୋଧନ ବିନା ସିଧାସଳଖ ପାନ କରିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ।
ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠୁଛି ଯେ, ଯଦି ନିର୍ଦ୍ଧାରିତ ସୀମାଠାରୁ ଅଧିକ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ରେକର୍ଡ ହୋଇଥିଲା, ତେବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପର୍ଷଦ ପକ୍ଷରୁ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।
ଅନ୍ୟପକ୍ଷରେ, ନାଗାବଳୀ ନଦୀରୁ ଶିଳ୍ପ କାର୍ଯ୍ୟ ପାଇଁ ଜଳ ଉତ୍ତୋଳନ କରାଯାଉଥିବା ସ୍ଥାନରେ ଜଳ ପରିମାଣ ମାପିବା ପାଇଁ ମିଟର ଲାଗିଥିବା ସତ୍ତ୍ୱେ, ଏହାର ରିଡିଂ ସମ୍ବନ୍ଧୀୟ ସୂଚନା ଜଳ ସମ୍ପଦ ବିଭାଗ ପାଖରେ ଉପଲବ୍ଧ ନଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଅନୁମୋଦିତ ପରିମାଣର ଜଳ ହିଁ ଉତ୍ତୋଳନ ହେଉଛି କି ନାହିଁ, ତାହାର ସ୍ୱାଧୀନ ଯାଞ୍ଚକୁ ନେଇ ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ଜେକେ ପେପର ମିଲ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଏବଂ ଜଳ ସମ୍ପଦ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ସେମାନଙ୍କ ପକ୍ଷ ମିଳିଲେ ତାହାକୁ ମଧ୍ୟ ସମାନ ଗୁରୁତ୍ଵ ସହ ପ୍ରକାଶ କରାଯିବ।
