ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଓ ଚୋରି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛି। ଏକ ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି କୋର୍ଟ | ସେ କହିଛନ୍ତି, ଏହା ଦ୍ବାରା ଆମେ ଅବଗତ ହୋଇପାରିବୁ ଯେ ତଦନ୍ତ ଜାରି ରହିଛି। ଏହା ସହ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ(ଏସଆଇଟି)କୁ ମଧ୍ୟ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ବର୍ତ୍ତମାନ ପାଇଁ ଆବେଦନକାରୀଙ୍କୁ ଏହି ଷ୍ଟାଟସ୍ ରିପୋର୍ଟର ଏକ କପି ପ୍ରଦାନ କରାଯିବ ନାହିଁ। ରିପୋର୍ଟକୁ ଏକ ବନ୍ଦ ଲଫାପାରେ କୋର୍ଟରେ ଉପସ୍ଥାପନ କରାଯିବ। ପରବର୍ତ୍ତୀ ଶୁଣାଣି ଜୁଲାଇ ୨୦ ତାରିଖ ସୋମବାରରେ ଅନୁଷ୍ଠିତ ହେବ। ହିନ୍ଦୁ ଧର୍ମ ପରିଷଦ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି, ଦାନ ଚୋରିର କୋର୍ଟ-ତଦାରଖରେ ତଦନ୍ତ ଦାବି କରିଛି।କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ କେବଳ ଟ୍ରଷ୍ଟ୍ରକୁ ନୋଟିସ୍ ଜାରି କରାଯାଉଛି। କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଅଲଗା ନୋଟିସ୍ ଜାରି କରାଯିବନି। ଶୁଣାଣି ସମୟରେ, ସଲିସିଟର ଜେନେରାଲ କୋର୍ଟଙ୍କୁ କହିଥିଲେ ଯେ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାର ଏହି ମାମଲାରେ କୋର୍ଟକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ। ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ପାଇଁ ଧାର୍ଯ୍ୟ କରିଛନ୍ତି। ସେତେବେଳକୁ, SIT କୋର୍ଟରେ ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବ।
