ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବଦଳି ନିର୍ଦ୍ଦେଶକୁ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ପ୍ରିନ୍ସିପାଲ୍ ଚିଫ୍ କନ୍ଜର୍ଭେଟର ଅଫ୍ ଫରେଷ୍ଟ (PCCF) ପକ୍ଷରୁ କଡ଼ା ସତର୍କବାଣୀ ଜାରି କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନୂଆ ସରକାର କ୍ଷମତାକୁ ଆସିବା ପରେ ରେଞ୍ଜର, ଏସିଏଫ ଓ ଡିଏଫଓ ସ୍ତରର ଅଧିକାରୀମାନେ ନିଜ ଜନ୍ମ କିମ୍ବା ଘର ଜିଲ୍ଲାରେ କାର୍ଯ୍ୟରତ ରହିପାରିବେ ନାହିଁ ବୋଲି ସରକାର ନୀତି ପ୍ରଣୟନ କରିଥିଲେ । ସେହି ନୀତି ଅନୁଯାୟୀ ବଦଳି ଆଦେଶ ଜାରି କରାଯାଇଥିଲା ।ତେବେ କେତେକ ଅଧିକାରୀ ଏପର୍ଯ୍ୟନ୍ତ ରିଲିଭ୍ ନହୋଇ ବିଳମ୍ବ କରୁଥିବାରୁ PCCF ସେମାନଙ୍କୁ ସତର୍କ କରିଛନ୍ତି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବଦଳି ପ୍ରକ୍ରିୟାରେ କୌଣସି ରାଜନୈତିକ ଚାପ କିମ୍ବା ସୁପାରିସକୁ ପ୍ରଶ୍ରୟ ଦିଆଯିବ ନାହିଁ। ଅଧିକାରୀମାନେ ରାଜନୈତିକ ବ୍ୟକ୍ତିଙ୍କ ମାଧ୍ୟମରେ ଚାପ ସୃଷ୍ଟି କରିବାରୁ ବିରତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
