ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ରାସ୍ତା ନଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ବାଧ୍ୟ ହୋଇ ଟ୍ରାକ୍ଟରରେ ହସ୍ପିଟାଲକୁ ନିଆଯାଉଥିଲା। ହେଲେ ରାସ୍ତା ମଝିରେ ଟ୍ରାକ୍ଟର ଉପରେ ହିଁ ଜନ୍ମ ନେଲା ଏକ କନ୍ୟା ସନ୍ତାନ। ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଦାବିରିଘାଟି ଗାଁରୁ। ସୂଚନାମୁତାବକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅଁଳାଭଟା ପଞ୍ଚାୟତର ଦାବିରୀଘାଟି ଗାଁର ଗର୍ଭବତୀ ଉର୍ମିଳା ମାଝୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଗାଁକୁ ପକ୍କା ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଦାବିରୀଘାଟି ପହଞ୍ଚିପାରି ନ ଥିଲା ଏବଂ ଚଚରାଗୁଡ଼ା ଗାଁରେ ଅପେକ୍ଷା କରିଥିଲା। ଏହାପରେ ପରିବାର ଓ ଗ୍ରାମବାସୀ ପ୍ରାୟ ୧୦ କିଲୋମିଟର ଦୂର ଟ୍ରାକ୍ଟରରେ ଗର୍ଭବତୀଙ୍କୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଊର୍ମିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଚଚରାଗୁଡ଼ାରୁ ଆମ୍ବୁଲାନ୍ସ ସହାୟତାରେ ମା’ ଓ ନବଜାତ ଶିଶୁକନ୍ୟାକୁ ମୈଦଲପୁର ମେଡିକାଲକୁ ନିଆଯାଇଥିଲା। ତେବେ ପ୍ରସୂତିଙ୍କ ରକ୍ତ ଅଭାବ ଏବଂ ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢନ୍ତୁ