
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁଢିପି ଗ୍ରାମ ପଞ୍ଚାୟତରେ ସୋମବାର ଅପରାହ୍ନ ୫ଟାରେ ଅନୁଷ୍ଠିତ “ବିରାଟ ମିଶ୍ରଣ ପର୍ବ” ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଢିପି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୭୦୦ରୁ ଊର୍ଦ୍ଧ୍ୱ ବିଜୁ ଜନତା ଦଳର କର୍ମୀ, ପଦାଧିକାରୀ, ୱାର୍ଡ ସଦସ୍ୟ ଓ ସମର୍ଥକ ବିଜେଡି ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ।
ଯୋଗଦାନକାରୀମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଓଡ଼ିଶା ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ ନୟାଗଡ଼ର ବରିଷ୍ଠ ବିଜେପି ନେତ୍ରୀ, ରାଷ୍ଟ୍ରୀୟ ପରିଷଦ ସଦସ୍ୟା ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ସେମାନେ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଓ କେନ୍ଦୁଢିପି ବିଜେପି ସଭାପତି ବସନ୍ତ କୁମାର ଜେନା ନବ ଯୋଗଦାନକାରୀ ମାନଙ୍କୁ ବିଜେପିର ଉତ୍ତରୀୟ ପରିଧାନ କରାଇ ଦଳକୁ ସ୍ୱାଗତ ଜଣାଇଥିଲେ । କେନ୍ଦୁଢିପି ଗ୍ରାମ ପଞ୍ଚାୟତର ପ୍ରାୟ ସମସ୍ତ ଗ୍ରାମ ସଭାପତି, ୱାର୍ଡ ସଦସ୍ୟ, ପୂର୍ବତନ ଓ ବର୍ତ୍ତମାନର ବିଜେଡି ପଦାଧିକାରୀ ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଏହି ଅବସରରେ ବିଜେପିରେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କମିଟିର ଉପସଭାପତି ମାଧବ ବେହେରା, ଜିଲ୍ଲା ସମ୍ପାଦିକା ତଥା ଲାଠିପଡ଼ା ମଣ୍ଡଳ ପ୍ରଭାରୀ ସରଳା ସାମନ୍ତରାୟ,ଲାଠିପଡ଼ା ମଣ୍ଡଳ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ପ୍ରତିନିଧି ଓ ମଣ୍ଡଳ ପ୍ରଭାରୀମାନେ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା ନାସର ଅହମଦ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ବେଳେ କେନ୍ଦୁଢିପି ଗ୍ରାମ ପଞ୍ଚାୟତ ବିଜେପି ସଭାପତି ଓ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ ।
ନେତୃବୃନ୍ଦ କହିଥିଲେ ଯେ, ଏହି ମିଶ୍ରଣ ପର୍ବ କେବଳ ସଂଖ୍ୟାର ଦୃଷ୍ଟିରୁ ନୁହେଁ, ବରଂ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରତି ବଢ଼ୁଥିବା ଜନବିଶ୍ୱାସ ଓ ସାଙ୍ଗଠନିକ ଶକ୍ତିର ଏକ ସ୍ପଷ୍ଟ ପ୍ରତିଫଳନ । ଏହି ଯୋଗଦାନ ଆଗାମୀ ଦିନରେ ନୟାଗଡ଼ର ରାଜନୈତିକ ସମୀକରଣକୁ ଆହୁରି ସୁଦୃଢ଼ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ ।
