ରଥଯାତ୍ରା ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଏବଂ ପବିତ୍ର ପର୍ବ । ଏହି ପର୍ବ ପ୍ରତିବର୍ଷ ପୁରୀରେ ବହୁତ ଆନନ୍ଦ ଓ ଭକ୍ତିର ସହିତ ପାଳନ କରାଯାଏ । ଏହି ଦିନ ଭଗବାନ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ତିନୋଟି ସୁନ୍ଦର ରଥରେ ବସି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି । ଏହି ଯାତ୍ରାକୁ ରଥଯାତ୍ରା ବୋଲି କୁହାଯାଏ । ମହାବାହୁ ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କୁ ଦର୍ଶନଦେବା ନିମନ୍ତେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ। ଜାତି, ଧର୍ମ, ବର୍ଣ୍ଣ, ନିର୍ୱିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବା ନିମନ୍ତେ ଭକ୍ତଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଛି। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ସମସ୍ତ ଭକ୍ତଙ୍କ ମନରେ ଉତ୍ସାହ ଓ ଉଲ୍ଲାସ ଭରି ରହିଛି।ରଥଯାତ୍ରା ପୂର୍ବରୁ ତିନୋଟି ବଡ଼ ରଥ ପ୍ରସ୍ତୁତ କରାଯାଏ । ଭଗବାନ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ ଏବଂ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ । କାଠରେ ତିଆରି ହୋଇଥିବା ଏହି ରଥଗୁଡ଼ିକୁ ବହୁତ ସୁନ୍ଦର ଭାବରେ ସଜାଯାଏ। ରଙ୍ଗିନ କପଡ଼ା, ପତାକା ଏବଂ ଫୁଲରେ ରଥଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ ।
ରଥଯାତ୍ରା ସମୟରେ ଗଜପତି ମହାରାଜ ସୁନାର ଝାଡୁରେ ରଥ ଆଗରେ ସଫା କରନ୍ତି । ଏହି ପରମ୍ପରାକୁ ଛେରା ପହଁରା କୁହାଯାଏ । ଏହା ଆମକୁ ଶିଖାଏ ଯେ ସମସ୍ତେ ସମାନ ଏବଂ ସେବା କରିବା ସବୁଠାରୁ ବଡ଼ କାମ ।
