ମହାପ୍ରଭୁ ଜଗନ୍ନାଥ ରିଲିଜ୍‌ ଉପରେ ରୋକ, ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମର ରିଲିଜ୍‌ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ‘ମହାପ୍ରଭୁ ଜଗନ୍ନାଥ’ଙ୍କୁ ନେଇ ତିଆରି ହୋଇଥିବା ଆନିମେସନ୍ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଫିଲ୍ମ ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।।ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି ।ଇଲେ ଆନିମେସନ୍ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେଇଛନ୍ତି । କୋର୍ଟ କହିଛନ୍ତି, “ଗତକାଲି ଠାରୁ ରଥଯାତ୍ରା ଆରମ୍ଭ ହୋଇଛି । ଜୁଲାଇ ୨୭ ପର୍ଯ୍ୟନ୍ତ ଜାରି ରହିବ । ରଥଯାତ୍ରା ସରିବା ପରେ ଆପଣ ଏହି ଫିଲ୍ମକୁ ରିଲିଜ୍ କରିପାରିବେ ।”

ଏହାପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ଫିଲ୍ମର ମୁକ୍ତିଲାଭ ଉପରେ ରହିତାଦେଶ ଲଗାଇଥିଲେ। ଚଳଚ୍ଚିତ୍ରଟି ଜୁଲାଇ ୧୭ ତାରିଖ ଅର୍ଥାତ୍‌ ଆଜି ଥିଏଟରରେ ମୁକ୍ତିଲାଭ କରିବାର ଥିଲା। ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ଫିଲ୍ମଟି ପ୍ରଭୁ ଜଗନ୍ନାଥ ଏବଂ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ଜଡିତ କିଛି ଦୃଶ୍ୟ, ସଂଳାପ ଏବଂ ଘଟଣାଗୁଡ଼ିକୁ ଧାର୍ମିକ ବିଶ୍ୱାସ, ଶାସ୍ତ୍ର ଏବଂ ପରମ୍ପରା ସହିତ ଅସଙ୍ଗତ ଭାବରେ ଦର୍ଶାଯାଇଛି। ଫିଲ୍ମର କିଛି ଅଂଶ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ।ସୂଚନାଯୋଗ୍ୟ, ଏହି ଆନିମେସନ ଫିଲ୍ମରେ ମହାପ୍ରଭୁଙ୍କ ସଂସ୍କୃତି, ରୀତିନୀତି ଓ ପରମ୍ପରାକୁ କଦର୍ଥ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ପିଟିସନ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ।

ଅଧିକ ପଢନ୍ତୁ