ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ବଢ଼ିଲା ବିବାଦ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା । ବିଦେଶରେ ଆୟୋଜିତ ହେଉଥିବା ଅସମୟର ରଥଯାତ୍ରାକୁ ନେଇ ଉଠାଇଲେ ଆପତ୍ତି । ପବିତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରାକୁ ନେଇ ପୁଣି ଥରେ ତେଜିଛି ବିବାଦ ।ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ରଥଯାତ୍ରା ନିର୍ଦ୍ଦିଷ୍ଟ ତିଥି ଓ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥାଏ । ହେଲେ ଇସ୍କନ ପକ୍ଷରୁ ବିଭିନ୍ନ ଦେଶରେ ଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଏହାକୁ ନେଇ ଦୀର୍ଘ ଦିନ ଧରି ଆପତ୍ତି ରହିଛି । କାନାଡା, ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଅନ୍ୟାନ୍ୟ ଦେଶରେ ହୋଇଥିବା ରଥଯାତ୍ରାକୁ ନେଇ ଏବେ ପୁଣି ଆରମ୍ଭ ହୋଇଛି ତର୍କ । ଚଳିତ ଜୁଲାଇ ମାସରେ ଏକାଧିକ ସ୍ଥାନରେ ରଥଯାତ୍ରା ଆୟୋଜିତ ହୋଇଛି । କାନାଡା, ୟୁରୋପ, ଆମେରିକା, ଇଂଲଣ୍ଡ, ଆଫ୍ରିକା ଓ ଏସିଆରେ ରଥଯାତ୍ରା ଆୟୋଜନ ହୋଇଛି । ଗତ ୫ ତାରିଖରେ ଅଷ୍ଟ୍ରେଲିଆର ୱେଲରେ ଆୟୋଜନା ହୋଇଥିଲା ରଥଯାତ୍ରା ।ଅଷ୍ଟ୍ରିଆର ଭିଏନାରେ ୪ ଜୁଲାଇ, ଇଂଲଣ୍ଡରେ ୪ ଓ ୫ ଜୁଲାଇ, କେନିୟାରେ ୪ ଜୁଲାଇ, ଆମେରିକାରେ ୪ ଓ ୫ ଜୁଲାଇ ଏବଂ କାନାଡାରେ ୫ ଜୁଲାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ସିଙ୍ଗାପୁରରେ ମଧ୍ୟ ଗତ ୫ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଇସ୍କନର ଏଭଳି ଅଦିନିଆ କାର୍ଯ୍ୟକ୍ରମକୁ ନେଇ ବିବାଦ ସୃଷ୍ଟି ହେବା ସତ୍ୱେ ଇସ୍କନ ତାର କୌଣସି କାର୍ଯ୍ୟକ୍ରମ ବନ୍ଦ କରୁନାହିଁ ।
