ଇଂଲଣ୍ଡ ବିପକ୍ଷରେ ଭାରତ ଆସନ୍ତା ୧୯ ତାରିଖରେ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳିବ । ଏହି ମ୍ୟାଚ ରୋହିତଙ୍କ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ଫ୍ୟାନ୍ସଙ୍କ ପାଇଁ ବଡ଼ ଝଟକା ହୋଇପାରେ । ରିପୋର୍ଟ ମୁତାବକ, ରୋହିତଙ୍କ ସନ୍ନ୍ୟାସ ନେବା ଚର୍ଚ୍ଚା ଭିତରେ ତାଙ୍କ ମା ବାପା ଲଣ୍ଡନରେ ପହଞ୍ଚିଛନ୍ତି । ରୋହିତ ନିଜର ଭବିଷ୍ୟ ପାଇଁ ଚୟନକର୍ତ୍ତାଙ୍କ ପ୍ଲାନ ବିଷୟରେ ଜାଣିବା ପରେ ନିଜ ବାପା ମାଙ୍କ ପାଇଁ ଲର୍ଡ୍ସ ଦିନିକିଆରେ ପହଞ୍ଚିବା ପାଇଁ ପ୍ଲାନ୍ କରିଥିଲେ ।ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚୟନକର୍ତ୍ତା ଏବଂ ଦଳ ପରିଚାଳନା ରୋହିତ ଶର୍ମାଙ୍କୁ ସୂଚନା ଦେଇଛନ୍ତି ଯେ ସେ ଆଉ ଦଳ ପାଇଁ ସେମାନଙ୍କ ଯୋଜନାରେ ନାହାନ୍ତି। ଫଳସ୍ବରୂପ, ରୋହିତ ଯେକୌଣସି ମୁହୂର୍ତ୍ତରେ ତାଙ୍କର ଅବସର ଘୋଷଣା କରିପାରନ୍ତି। ସେ ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇସାରିଛନ୍ତି।ରୋହିତ ଶର୍ମା ଗତ ୮ଟି ଦିନିକିଆରେ ୩୩ ପ୍ରତିଶତରେ ୨୪୧ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ଚୟନକର୍ତ୍ତା ଚିନ୍ତାରେ ରହିଛନ୍ତି । ତେବେ ଭାରତ ଦିନିକିଆ ବିଶ୍ବକପ ୨୦୨୭ ପୂର୍ବରୁ ଆହୁରି ୨୦ଟି ମ୍ୟାଚ ଖେଳିବ । ତେଣୁ ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟ ଚାହୁଁଛି କି, ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନୂଆ ଖେଳାଳିଙ୍କୁ ଅଧିକ ସୁଯୋଗ ମିଳୁ । ଯଶସ୍ବୀ ଜୟସୱାଲ ରୋହିତ ଶର୍ମାଙ୍କ ରିପ୍ଲେସମେଣ୍ଟର ପ୍ରବଳ ଦାବିଦାର ରହିଛନ୍ତି । ସେ ଗତ ୩ଟି ଦିନିକିଆ ଇନିଂସରେ ଦୁଇଟି ଶତକ ମାରିଛନ୍ତି । ଭାରତ ଆଗାମୀ ଦିନିକିଆ ସିରିଜ ସେପ୍ଟେମ୍ବରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଜୟସୱାଲ ଏହି ସିରିଜରେ ଦିନିକିଆ ପାଇଁ ଖେଳିପାରନ୍ତି ।
