ସରକାରୀ କାର୍ଯ୍ୟରେ ବଢ଼ିବ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏଆଇ ଆଧାରିତ ସେବା ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ChatGPT Plus, Google AI Pro ଭଳି ଏଆଇ ସେବା କିଣିବା ସହ ଅଧିକ କ୍ଲାଉଡ୍ ଷ୍ଟୋରେଜ୍ ଓ ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ପାଇଁ ଆର୍ଥିକ ମଞ୍ଜୁରି ଲୋଡ଼ିଛି ବିଭାଗ ।ଏନେଇ ଇଞ୍ଜିନିୟର-ଇନ୍-ଚିଫ୍ (ଗ୍ରାମ୍ୟ କାର୍ଯ୍ୟ) କାର୍ଯ୍ୟାଳୟରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନିକଟକୁ ଚିଠି ଲେଖି ଆବଶ୍ୟକ ପ୍ରଶାସନିକ ଅନୁମୋଦନ ଓ ଆର୍ଥିକ ମଞ୍ଜୁରି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।ସୂଚନା ଅନୁସାରେ, PMGSY ଅଧୀନରେ ରାଜ୍ୟରେ ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ସହ ଯୋଡ଼ାଯାଉଛି । ପ୍ରକଳ୍ପଗୁଡ଼ିକର ରିଅଲ୍-ଟାଇମ୍ ମନିଟରିଂ, ତଥ୍ୟ ବିଶ୍ଳେଷଣ ଓ ଦ୍ରୁତ ନିଷ୍ପତ୍ତି ଗ୍ରହଣ ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ପ୍ରତିଦିନ ବହୁ ପରିମାଣର ଡିଜିଟାଲ ତଥ୍ୟ ସୃଷ୍ଟି ହେଉଛି । ଉଚ୍ଚମାନର ସଡ଼କ ଆଲାଇନ୍ମେଣ୍ଟ ମାନଚିତ୍ର, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR), ନିର୍ମାଣ କାର୍ଯ୍ୟର ଫଟୋ, ଜିଓ-ଟ୍ୟାଗ୍ ରେକର୍ଡ ଓ ଆର୍ଥିକ ତଥ୍ୟର ପରିମାଣ ଦିନକୁ ଦିନ ବଢ଼ୁଥିବାରୁ ବର୍ତ୍ତମାନର ମାଗଣା ଡିଜିଟାଲ ସୁବିଧା ଆଉ ପର୍ଯ୍ୟାପ୍ତ ହେଉନାହିଁ ।
ଏଭଳି ପରିସ୍ଥିତିରେ ବିଭାଗ ପକ୍ଷରୁ ପ୍ରିମିୟମ୍ କ୍ଲାଉଡ୍ ଷ୍ଟୋରେଜ୍, ଉନ୍ନତ ଭିଡିଓ କନଫରେନ୍ସିଂ ସୁବିଧା ଓ AI ଆଧାରିତ କାର୍ଯ୍ୟ ସହାୟକ ସେବାକୁ ଅନ୍ତର୍ଭୁକ୍ତ କରିବାର ପ୍ରସ୍ତାବ ଦିଆଯାଇଛି। ଯଦି ଏହି ପ୍ରସ୍ତାବକୁ ସରକାର ମଞ୍ଜୁରି ଦିଅନ୍ତି, ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜ୍ୟର ପ୍ରଥମ କିଛି ସରକାରୀ ବିଭାଗ ମଧ୍ୟରୁ ଗୋଟିଏ ହୋଇପାରେ, ଯେଉଁଠାରେ ନିୟମିତ ଭାବେ ଏଆଇ ଟୁଲ୍ ବ୍ୟବହାର କରାଯିବ । ଏହା ଦ୍ୱାରା ସମୟ ସଞ୍ଚୟ, ଉତ୍ପାଦନଶୀଳତା ବୃଦ୍ଧି ଏବଂ ଇ-ଗଭର୍ନାନ୍ସକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
