ହାଇଦ୍ରାବାଦରୁ ଲଣ୍ଡନ ହିଥ୍ରୋ ଯାଉଥିବା ବ୍ରିଟିଶ ଏୟାରୱେଜର ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ବିମାନ ଉଡ଼ାଣ ସମୟରେ ୩ ଜଣ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ।ପାଇଲଟମାନେ ସୁରକ୍ଷିତ ଭାବେ ବିମାନକୁ ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ଅବତରଣ କରାଇଥିଲେ । ପାଇଲଟମାନେ ଲଣ୍ଡନକୁ ବିମାନ ଉଡ଼ାଣ ପୂର୍ବରୁ ପୂର୍ବଦିନ ରାତିରେ ହାଇଦ୍ରାବାଦରେ ଏକ ହୋଟେଲରେ ରହିଥିଲେ। ହୋଟେଲରେ ରହିବା ପରେ ସେମାନଙ୍କଠାରେ ଖାଦ୍ୟ ବିଷାକ୍ତ ଲକ୍ଷଣ ଦେଖାଯାଇଥିବା ଅନୁମାନ କରି ବ୍ରିଟିଶ ଏୟାରୱେଜ୍ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାଟି ହାଇଦ୍ରାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିବା ବ୍ରିଟିଶ ଏୟାରୱେଜ୍ ବିମାନ ବିଏ୨୭୬ ସହିତ ଜଡିତ ।ଲଣ୍ଡନରେ ବିମାନ ଅବତରଣ କରିବା ପରେ ପାଇଲଟଙ୍କୁ ଅମ୍ଳଜାନ ଦିଆଯାଇଥିଲା ଓ ତାଙ୍କର ଅନ୍ୟ ଚିକିତ୍ସା କରାଯାଇଥିଲା । ଅନ୍ୟ ଦୁଇ ପାଇଲଟ ଅସୁସ୍ଥ ଥିବା ସତ୍ତ୍ବେ ବିମାନ ଚଳାଇଥିଲେ । ବ୍ରିଟିଶ ଏୟାରୱେଜ୍ ଏକ ବିବୃତିରେ କହିଛି, ପାଇଲଟ ଅସୁସ୍ଥତା ହେବା ରିପୋର୍ଟ ପରେ କ୍ରୁଙ୍କ ରହଣିର ସମୀକ୍ଷା କରାଯାଉଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଉଡ଼ାଣ ପୂର୍ବରୁ ତିନି ଜଣ ପାଇଲଟ ହାଇଦ୍ରାବାଦର ଏକ ହୋଟେଲରେ ଏକାଠି ଜଳଖିଆ କରିଥିଲେ । ସେମାନେ ଏକ ବାହ୍ୟ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ବୋତଲ ପାଣି ମଧ୍ୟ ପିଇଥିଲେ । ତେବେ ଏହାକୁ ନେଇ ଯାଞ୍ଚ କରାଯାଉଛି ।
