ଶନିବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ନୀଟ୍ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଜୋର୍ ଧରିଥିବା ବେଳେ ସରକାର ତାଙ୍କୁ ଅନ୍ୟ କୌଣସି ମନ୍ତ୍ରଣାଳୟକୁ ବଦଳି କରିବା ପାଇଁ ବିଚାର କରୁଛନ୍ତି। ସେ କହିଛନ୍ତି, ମୁଁ ଅନଶନରେ ବସିଥିବା ଛାତ୍ରମାନଙ୍କ ସହ କଥା ହୋଇଛି ଏବଂ ସେମାନଙ୍କର ତିନୋଟି ପ୍ରମୁଖ ଦାବି ଅଛି, ଯାହା ଅଣଦେଖା କରିହେବ ନାହିଁ। ଛାତ୍ରମାନଙ୍କର ପ୍ରାଥମିକ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା।
ରାହୁଲ ଗାନ୍ଧୀ ପୁନରାବୃତ୍ତି କରିଥିଲେ ଯେ, ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଦାୟିତ୍ୱ ପ୍ରତିଷ୍ଠା ହେବା ଆବଶ୍ୟକ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ନୀତିଗ୍ରସ୍ତ, ଅଯୋଗ୍ୟ ଏବଂ ପ୍ରଭାବଶାଳୀ ଭାବରେ ତାଙ୍କ ଦାୟିତ୍ୱ ନିର୍ବାହ କରିବାରେ ବିଫଳ। ତାଙ୍କୁ ତାଙ୍କ ପଦବୀରୁ ତୁରନ୍ତ ବହିଷ୍କାର କରିବା। ଏହାସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଛାତ୍ରୀଛାତ୍ରଙ୍କୁ କ୍ଷମା ମାଗିବା ଆବଶ୍ୟକ।ଅନ୍ୟପଟେ, କୋକରୋଚ୍ ଜନତା ପାର୍ଟି (ସିଜେପି) ର ନେତୃତ୍ୱରେ ଯୁବକ ଓ ଛାତ୍ରଛାତ୍ରୀମାନେ ଜନ୍ତର ମନ୍ତରଠାରେ ବିକ୍ଷୋଭ ଜାରି ରଖିଥିବା ବେଳେ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର କୌଣସି ପ୍ରଶ୍ନ ଉଠୁନାହିଁ ଏବଂ କେନ୍ଦ୍ର ସରକାର ଦୃଢ଼ ଭାବେ ମନ୍ତ୍ରୀଙ୍କ ସହ ଛିଡ଼ା ହୋଇଛନ୍ତି।
