ରଥଯାତ୍ରା ପରିଚାଳନାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି
ରାଜ୍ୟ ସରକାର: ବିଜେଡି

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଥିବା ବେଳେ ବାହୁଡ଼ା ଯାତ୍ରାରେ ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତୁ୍ୟ ହୋଇଛି । ଯାହାକୁ ନେଇ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋନା କରିଛି ବିଜୁ ଜନତା ଦଳ ।ରଥଯାତ୍ରା ପରିଚାଳନା ନେଇ ଅତୀତର ତ୍ରୁଟିରୁ ରାଜ୍ୟ ସରକାର କିଛି ଶିକ୍ଷା ଗ୍ରହଣ କରିଲେ ନାହିଁ । ସରକାରଙ୍କ ଅବହେଳାରୁ ବାହୁଡା ଯାତ୍ରାରେ ପୁଣି ଦଳାଚକଟା ଘଟି ଜଣେ ଶ୍ରଦ୍ଧାଳୁଙ୍କ ଜୀବନ ଗଲା । ବଡ଼ଦାଣ୍ଡର ପରିମଳ ବ୍ୟବସ୍ଥା ଠିକ୍ ନଥିଲା । ବଗଲା ଧର୍ମଶାଳା ସମ୍ମୁଖରେ ଅଇଁଠା ଖଲି ପଡିଥିଲା । ମା’ ସୁଭଦ୍ରାଙ୍କ ରଥ ଆସିବା ବେଳେ ଖଲି ମାଡ଼ି ଲୋକେ ତଳେ ପଡିଯିବାରୁ ଦଳାଚକଟା ଆରମ୍ଭ ହୋଇଥିଲା । ତ୍ରୁଟି ଶୂନ୍ୟ ରଥଯାତ୍ରା ପରିଚାଳନା କରିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରଥଯାତ୍ରା ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସକଙ୍କ ସମର୍ପଣ ଭାବ ନଥିବାରୁ ରଥଯାତ୍ରାରେ ବାରମ୍ୱାର ଅଘଟଣ ଘଟୁଛି । ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଛି, ଯାହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ମର୍ମାହତ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା ରଥଯାତ୍ରାରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତୁ୍ୟକୁ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ