‘E20 ପେଟ୍ରୋଲରେ ମୋର କୌଣସି ଭୂମିକା ନାହିଁ’ : ନିତିନ ଗଡ଼କରୀ

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏବେ ଏହି ‘ଡିପଫେକ୍’ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ଏବେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନିଜର ସମ୍ମାନ ରକ୍ଷା ପାଇଁ ସେ ସୋସିଆଲ ମିଡିଆ ମାଫିଆଙ୍କ ବିରୋଧରେ ଆରମ୍ଭ କରିଛନ୍ତି ଏକ ବଡ଼ ଆଇନଗତ ଲଢ଼େଇ ।ସେ ଅଭିଯୋଗ କରିଛନ୍ତି ଯେ AI-ଉତ୍ପନ୍ନ ଡିପଫେକ ଏବଂ ହେରଫେର କରାଯାଇଥିବା ଅନଲାଇନ ବିଷୟବସ୍ତୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଏହି ନୀତିରୁ ହେଉଥିବା ଆର୍ଥିକ ଲାଭ ସହିତ ମିଥ୍ୟା ଭାବରେ ଯୋଡ଼ିଛି।ସୋମବାର, ବମ୍ବେ ହାଇକୋର୍ଟ ମେଟା ପ୍ଲାଟଫର୍ମ, ଗୁଗୁଲ, X କର୍ପ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ଦାୟର କରିବାକୁ ଗଡ଼କରୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ଏହି ମାମଲା ମାଧ୍ୟମରେ, ସେ ମିଥ୍ୟା, ମନଗଢ଼ା ଏବଂ ମାନହାନିକାରୀ AI-ଜେନେରେଟେଡ ଭିଡିଓ ଏବଂ ଡିଜିଟାଲ ବିଷୟବସ୍ତୁକୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି।ଗତ କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ଭିଡିଓ ଓ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଗୁଡ଼ିକରେ ଦାବି କରାଯାଉଛି ଯେ, ସରକାରଙ୍କ ‘E20 ଇଥାନଲ୍ ମିଶ୍ରଣ ଯୋଜନା’ରେ ବଡ଼ ଧରଣର ଦୁର୍ନୀତି ହୋଇଛି ଏବଂ ଏଥିରୁ ଗଡ଼କରୀଙ୍କ ପରିବାର ପ୍ରତ୍ୟକ୍ଷ ଭାବେ ଲାଭବାନ ହେଉଛନ୍ତି । ଏହି ଭିଡିଓଗୁଡ଼ିକ ଏତେ ବାସ୍ତବବାଦୀ ମନେ ହେଉଛି ଯେ, ସାଧାରଣ ଲୋକେ ଏହାକୁ ସତ ବୋଲି ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି ।ଏଥିରେ AI ବ୍ୟବହାର କରି ଗଡ଼କରୀଙ୍କ ଚେହେରା ଓ ସ୍ୱରକୁ ନକଲ କରାଯାଇ ଭ୍ରାମକ ତଥ୍ୟ ପରିବେଷଣ କରାଯାଇଛି ।ଏହି ଅପପ୍ରଚାରକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଗଡ଼କରୀ । ସେ ବମ୍ବେ ହାଇକୋର୍ଟରେ ଏକ ୮୬ ପୃଷ୍ଠାର ଦୀର୍ଘ ଆବେଦନ ଦାଖଲ କରି ୧୧ କୋଟି ଟଙ୍କାର ମାନହାନି କ୍ଷତିପୂରଣ ଦାବି କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ମିଶ୍ରଣ ଯୋଜନା ସମ୍ପୂର୍ଣ୍ଣ ଭାବେ ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନରେ ଆସିଥାଏ, ତାଙ୍କ ସଡ଼କ ପରିବହନ ମନ୍ତ୍ରାଳୟର ଏଥିରେ କୌଣସି ଭୂମିକା ନାହିଁ । ୨୦୦୩ ମସିହାରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ସହ ତାଙ୍କୁ ଯୋଡ଼ିବା କେବଳ ତାଙ୍କୁ ବଦନାମ କରିବାର ଏକ ହୀନ ପ୍ରୟାସ ।

ଅଧିକ ପଢନ୍ତୁ