ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର, ଏବେବି ଅନେକ ଲୋକ ପାଣି ଘେରରେ

ହୀରାକୁଦ ଡ୍ୟାମରେ ବଢ଼ୁଛି ଜଳସ୍ତର । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ୍ୟାମକୁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଫୁଟ ଛୁଇଁଛି । ସୂଚନା ଅନୁସାରେ, ପ୍ରତି ସେକେଣ୍ଡରେ ହୀରାକୁଦ ଡ୍ୟାମକୁ ପ୍ରାୟ ୨ ଲକ୍ଷ ୮୪ ହଜାର ୫୩୬ କ୍ୟୁସେକ ଜଳ ପ୍ରବେଶ କରୁଛି । ଏହାର ନିୟନ୍ତ୍ରଣ ପାଇଁ ଡ୍ୟାମରୁ ୬୫ ହଜାର ୨୫୬ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ହୀରାକୁଦ ଡ୍ୟାମର ୨ଟି ଗେଟ୍ ଦେଇ ବନ୍ୟାଜଳ ଛଡ଼ାଯାଉଛି। ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବାର ସୂଚନା ପରେ ଗତକାଲି ସନ୍ଧ୍ୟାରୁ କଟକ ବାଙ୍କୀର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ ହୋଇଛି । ଶାଖା ନଦୀ ହୂଳୁହୁଳା ଉପରେ ୪ ଫୁଟରୁ ଅଧିକ ପାଣି ଚାଲୁଥିବାରୁ ଏହି ଅଞ୍ଚଳର ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର । ଏବେ ମଧ୍ୟ ଅନେକ ସ୍ଥାନରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବନ୍ୟା ଜଳ ୧୮.୭୦ ମିଟରରେ ପ୍ରଭାବିତ ହେଉଛି । ଏବେବି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ବାସୁଦେବପୁର, ଚାନ୍ଦବାଲି ଅଞ୍ଚଳରେ ବନ୍ୟା ସ୍ଥିତି ଜାରି ରହିଛି। ସାଳନ୍ଦୀ ନଦୀରେ ମଧ୍ୟ ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ ।କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ତେଲନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତେଲନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ନଦୀରେ ବନ୍ୟାଜଳ ଭର୍ତ୍ତି ହେବା ସହ ଏବେ ତଳିଆ ଅଞ୍ଚଳଗୁଡ଼ିକରେ ଚିନ୍ତା ବଢ଼ିଛି । କେସିଙ୍ଗା ସହର ନିକଟ ରେଳ ଅଣ୍ଡର ବ୍ରିଜରେ ପ୍ରାୟ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ରାସ୍ତା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି । ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଗାଲୁଡିହ ବ୍ୟାରେଜରୁ ପାଣି ଛାଡ଼ିବା ପରେ ଧିରେ ଧିରେ ବୃଦ୍ଧି ପାଉଛି ନଦୀର ଜଳସ୍ତର । ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ୬ଟା ସୁଦ୍ଧା ଜଳସ୍ତର ୮.୨୦ ମିଟର ରହିଛି । ସେହିପରି ଜଳକା ନଦୀର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି, ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବାବେଳେ ଜଳସ୍ତର ରହିଛି ୬.୬୮ ମିଟର । ଅନ୍ୟପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଅଭିଯାନରେ ଜୀବନକୁ ବାଜି ଲଗାଇଛନ୍ତି ପୁଲିସ, ଅଗ୍ନିଯୋଦ୍ଧା ଓ ସ୍ୱେଚ୍ଛାସେବୀ । ବନ୍ୟାପ୍ଲାବିତ ଅଞ୍ଚଳରୁ ଲୋକ, ରୋଗୀ ଏବଂ ପଶୁଙ୍କୁ ଉଦ୍ଧାର କରୁଛନ୍ତି । ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲାରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଛି ।ରାଜ୍ୟରେ ବନ୍ୟା ବିତ୍ପାତରେ ୭ଜଣଙ୍କ ମୃତ୍ୟୁ ହୋଇଛି । ୫ ଜଣ ନିଖୋଜ ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୫ ଜଣ ମୃତ ଓ ୨ଜଣ ନିଖୋଜ ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ