ଧନୀ ହେବାର ସ୍ୱପ୍ନ ସାକାର ହେବା ପୂର୍ବରୁ ବାର୍ଦ୍ଧକ୍ୟ ଆଡ଼କୁ ଦ୍ରୁତ ଗତିରେ ମୁହାଁଉଛି ଭାରତ।ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରିବେ ବୋଲି ଶୁକ୍ରବାର ପ୍ରକାଶିତ ଏକ ଗବେଷଣାରୁ ଜଣାପଡ଼ିଛି। ଟ୍ରାନ୍ସଫର୍ମ ରୁରାଲ ଇଣ୍ଡିଆ (ଟିଆର୍ଆଇ) ଦ୍ୱାରା ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଅନେକ ବିକଶିତ ଦେଶ ସେମାନଙ୍କର ଜନସଂଖ୍ୟା ବୃଦ୍ଧି ହେବା ପୂର୍ବରୁ ଧନୀ ହୋଇଥିବା ବେଳେ ଭାରତ ଧନୀ ହେବା ପୂର୍ବରୁ ହିଁ ବୁଢ଼ା ହେବାକୁ ଯାଉଛି।ଗ୍ରାମୀଣ ଭାରତରେ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଟିଆର୍ଆଇ ଚେତାବନୀ ଦେଇଛି ଯେ, ଏହି ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ମହିଳାଙ୍କ ଉପରେ ପଡ଼ିବ । କେଉଁ କାଳରୁ ଭାରତରେ ଏକ ପାରିବାରିକ ଯତ୍ନ ବ୍ୟବସ୍ଥା ରହିଆସିଛି । ବୃଦ୍ଧ ହେବା ପରେ ଯତ୍ନ ନିଅନ୍ତି ପରିବାର ଲୋକେ । ବିଶେଷକରି ମହିଳାମାନେ ଏହି କାର୍ଯ୍ୟରେ ଅଧିକ ନିୟୋଜିତ । ଏବେ ଏହା ଏକ ବଡ଼ ଚିନ୍ତା ପାଲଟିବ । କାରଣ ପରିବାର ଛୋଟ ହେଉଛି, ଯୁବପିଢ଼ି କାର୍ଯ୍ୟ ପାଇଁ ବାହାରକୁ ଚାଲିଯାଉଛନ୍ତି । ତେଣୁ ଘରେ ରହି ଯାଉଥିବା ବୃଦ୍ଧବୃଦ୍ଧାଙ୍କ ଯତ୍ନ ସମସ୍ୟା ପାଲଟିବ ।ଛୋଟ ପରିବାର ଯୋଗୁ ଯତ୍ନ ନେବା ପାଇଁ ଲୋକ କମ୍ । ଏଭଳି ସ୍ଥିତିରେ ଭାରତର ସ୍ଥିତି ଯାହା ରହିଛି, ଆଗକୁ ବୃଦ୍ଧମାନଙ୍କ ଯତ୍ନ ବଡ଼ ଆହ୍ୱାନ ପାଲଟିବ । ରିପୋର୍ଟ ମୁତାବକ, ମହିଳାମାନେ ଅବୈତନିକ ଯତ୍ନ ଉପରେ ଦିନକୁ ପାଖାପାଖି ୩୦୫ ମିନିଟ୍ ବିତାଉଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହା ମାତ୍ର ୫୬ ମିନିଟ । ଦିନକୁ ଦିନ ମହିଳାଙ୍କ ଅବୈତନିକ କାର୍ଯ୍ୟଚାପ ବଢ଼ିଚାଲିଛି । ଆଗକୁ ଗ୍ରାମୀଣ ମହିଳାଙ୍କ ଉପରେ ଚାପ ଆହୁରି ବଢ଼ିପାରେ ବୋଲି ରିପୋର୍ଟରେ କୁହାଯାଇଛି ।ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଭାରତରେ ଦୁଇ ତୃତୀୟାଂଶ ମୃତ୍ୟୁ ମଧୁମେହ, ହୃଦ୍ରୋଗ ଏବଂ କର୍କଟ ଆଦି ଯୋଗୁ ହୋଇଥାଏ । ରିପୋର୍ଟରେ ପରାମର୍ଶ ଦିଆଯାଇଛି, ସ୍ୱାସ୍ଥ୍ୟସେବାର ପରବର୍ତ୍ତୀ ପର୍ଯ୍ୟାୟରେ ଦୀର୍ଘଦିନ ଧରି ରହୁଥିବା ରୋଗ, ଶାରୀରିକ ଅକ୍ଷମତା ଏବଂ ବୟସର ଅନ୍ତିମ ପର୍ଯ୍ୟାୟରେ ରହୁଥିବା ଆହ୍ୱାନଗୁଡ଼ିକ ଉପରେ ଧ୍ୟାନ ଦିଆଯିବା ଦରକାର । ଗ୍ରାମାଞ୍ଚଳରେ ଥିବା ପ୍ରତିଷ୍ଠାନଗୁଡ଼ିକୁ ଏକକ ଗୋଷ୍ଠୀ-ଭିତ୍ତିକ କେୟାର ନେଟ୍ୱର୍କ ସହ ଯୋଡ଼ିବା ପାଇଁ ଟିଆର୍ଆଇ ପରାମର୍ଶ ଦେଇଛି । ଏଥିରେ ଗ୍ରାମ ପଞ୍ଚାୟତ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଦିକୁ ଗୋଷ୍ଠୀ-ଭିତ୍ତିକ କେୟାର ନେଟ୍ୱର୍କରେ ସାମିଲ କରାଯାଇପାରିବ ବୋଲି ଏହା ପ୍ରକାଶ କରିଛି ।ରିପୋର୍ଟରେ କୁହାଯାଇଛି ଯେ ଗ୍ରାମୀଣ ଭାରତକୁ ନୂତନ ଯତ୍ନ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ନାହିଁ, ବରଂ ଏହାର ଥିବା ପ୍ରତିଷ୍ଠାନଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଆବଶ୍ୟକ। ପ୍ରକାଶିତ ରିପୋର୍ଟରେ ଯତ୍ନ ବ୍ୟବସ୍ଥାକୁ ଏକ ଅର୍ଥନୈତିକ ସୁଯୋଗ ଭାବରେ ମଧ୍ୟ ଦର୍ଶାଯାଇଛି।
