ବେଙ୍ଗାଲୁରୁରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସମ୍ପର୍କ ଏବଂ ସାମ୍ପ୍ରତିକ ସମାଜର ମାନସିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସହରର ବାଗାଲଗୁଣ୍ଟେ ଅଞ୍ଚଳରେ ଜଣେ ୫୨ ବର୍ଷୀୟା ମହିଳାଙ୍କ କଙ୍କାଳ ଏକ ଡୁପ୍ଲେକ୍ସ ଘର ଭିତରୁ ମିଳିଛି । ସୂଚନା ଅନୁସାରେ, ସେ ଘରେ ଏକୁଟିଆ ରହୁଥିଲେ। ସ୍ୱାମୀ ଉମେଶଙ୍କ ମୃତ୍ୟୁ ପ୍ରାୟ ୧୦ ବର୍ଷ ପୂର୍ବେ ହୋଇଥିବା ବେଳେ, ପରେ ତାଙ୍କ ପୁଅ ମଧ୍ୟ କ୍ୟାନ୍ସରରେ ପ୍ରାଣ ହରାଇଥିଲେ। ଏହାପରେ ସେ ଅବସାଦରେ ରହୁଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସର ସନ୍ଦେହ ଅନୁସାରେ ପ୍ରାୟ ବର୍ଷେ ତଳେ ଦକ୍ଷାୟିନୀଙ୍କ ମୃତ୍ୟୁ ହୋଇଥାଇପାରେ। ଏହି ସମୟ ମଧ୍ୟରେ ତାଙ୍କ ଝିଅ ଓ ଜ୍ୱାଇଁ ଘରକୁ ଆସିନଥିଲେ କି ମାଆଙ୍କର ଖୋଜଖବର ମଧ୍ୟ ରଖିନଥିଲେ।ସମ୍ପର୍କୀୟ କିମ୍ବା ପଡ଼ୋଶୀଙ୍କ ପାଖରେ ଏହାର କୌଣସି ସୂଚନା ନଥିଲା । ବର୍ଷେ ଧରି ମହିଳା ଜଣକ ନା କାହାର ଫୋନ୍ ଉଠାଉଥିଲେ ନା କାହାକୁ ଦେଖା ଦେଉଥିଲେ, ତଥାପି କେହି ତାଙ୍କୁ ଖୋଜିବାକୁ ଚେଷ୍ଟା କରିନଥିଲେ । ବର୍ତ୍ତମାନ ବାଗାଲଗୁଣ୍ଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଓ ପରିସ୍ଥିତି ଜାଣିବାକୁ ଚେଷ୍ଟା କରୁଛି ।ସାଧାରଣତଃ ମୃତଦେହ ପଚିଗଲେ ପ୍ରବଳ ଦୁର୍ଗନ୍ଧ ହୁଏ, କିନ୍ତୁ ଏହି ଘଟଣାରେ ପ୍ରାୟ ଏକ ବର୍ଷ ବିତିଯାଇଥିବାରୁ ଏବଂ ଘର ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ବାହାରକୁ ସେଭଳି କିଛି ଜଣାପଡ଼ିନଥିଲା। ଘଟଣାରେ ମୃତ ମହିଳାଙ୍କ ଝିଅ-ଜ୍ବାଇଁଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।
