ନୟାଗଡ଼ ଜିଲ୍ଲାର ପ୍ରଥମ ଆଇଏଫଏସ ଅଧିକାରୀ ତଥା ଅବସରପ୍ରାପ୍ତ ପିସିସିଏଫ୍ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ପ୍ରଥମ ଭାରତୀୟ ବନ ସେବା  ଅଧିକାରୀ ତଥା ରାଜ୍ୟର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ  ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଆଜି ବାଙ୍ଗାଲୋରଠାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଏହି ଦେହାବସାନରେ ଜିଲ୍ଲା ତଥା ବନ ବିଭାଗରେ ଶୋକର ଛାୟା ଖେଳିଯାଇଛି।
ନୟାଗଡ଼ ଜିଲ୍ଲାର ଶରଣକୁଳ ନିକଟସ୍ଥ ନରେନ୍ଦ୍ରପୁର ଗ୍ରାମରେ ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀ ମିଶ୍ର। ସେ ୧୯୬୮ ମସିହାରେ ଭାରତୀୟ ବନ ସେବାରେ ଯୋଗଦାନ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ, ମେଧାବୀ ଏବଂ ଦକ୍ଷ ପ୍ରଶାସକ ଭାବେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ବହୁବାର ପ୍ରଶଂସିତ ଓ ପୁରସ୍କୃତ ହୋଇଥିଲେ। ଦୀର୍ଘ ବର୍ଷର ନିଷ୍ଠାପର ସେବା ପରେ ସେ ୨୦୦୨ ମସିହାରେ  ‘ପ୍ରିନ୍ସିପାଲ୍ ଚିଫ୍ କନ୍‌ଜର୍ଭେଟର୍ ଅଫ୍ ଫରେଷ୍ଟସ୍’  ଭାବେ ଅବସର ଗ୍ରହଣ କରିଥିଲେ।
ଜଣେ ପରୋପକାରୀ, ମୃଦୁଭାଷୀ ଏବଂ ସମାଜସେବୀ ବ୍ୟକ୍ତିତ୍ୱ ଭାବେ ସେ ସମସ୍ତଙ୍କପ୍ରିୟ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ଧର୍ମପତ୍ନୀ, ପୁତ୍ର, କନ୍ୟା, ଜ୍ୱାଇଁ, ବୋହୂ ଏବଂ ନାତିନାତୁଣୀଙ୍କ ସମେତ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପରିବାରବର୍ଗ ଏବଂ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି।

ଅଧିକ ପଢନ୍ତୁ