ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବେ। ଇରାନ ଶୁକ୍ରବାର ପେଜେସ୍କିଆନଙ୍କ ଭାରତ ଗସ୍ତକୁ ନିଶ୍ଚିତ କରିଛି। ଏହି ଶିଖର ସମ୍ମିଳନୀ ଭାରତର ‘ସ୍ଥାୟୀତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଭାରତ ୨୦୨୬ ଆରମ୍ଭରେ ବ୍ରାଜିଲଠାରୁ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିଥିଲା। ଅକ୍ଟୋବର ୨୦୨୪ ରେ ପେଜେସ୍କିଆନ ରୁଷର କାଜାନଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ, ଯେଉଁଠାରେ ଦୁଇ ନେତା ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଇରାନ ୨୦୨୪ରେ ବ୍ରିକ୍ସର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲା। ସେହିବର୍ଷ ଇଜିପ୍ଟ, ଇଥୋପିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ବ୍ରିକ୍ସ ସଦସ୍ୟ ହୋଇଥିଲେ। ୨୦୨୫ରେ ଇଣ୍ଡୋନେସିଆ ବ୍ରିକ୍ସ ସଦସ୍ୟ ହେବାପରେ ଏହି ଗୋଷ୍ଠୀର ସଦସ୍ୟଙ୍କ ସଂଖ୍ୟା ୧୧ରେ ପହଞ୍ଚି ଥିଲା। ଜୁନ୍ ମାସର ପ୍ରାରମ୍ଭରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିଲେ।
