ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ନନ୍ଦନକାନନକୁ ଆସୁଛନ୍ତି ନୂଆ ବିଦେଶୀ ଅତିଥି। ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବଶିଘ୍ର ନନ୍ଦନକାନନରେ ପହଞ୍ଚିବେ।ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ। ତେବେ ଦୁଇହଳ ରେଡ କଙ୍ଗାରୁ ନନ୍ଦନକାନନ ଆସିବେ।ବର୍ତ୍ତମାନ ନନ୍ଦନକାନନକୁ ଚିତା ପ୍ରଥମ ଥର ଆସିବାକୁ ଯାଉଛି। ଦୁଇହଳ ଚିତା ନନ୍ଦନକାନନ ଆସିବେ। ଏଥିପାଇଁ ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛି। ଦୁଇ ହଳ ୱାଇଲ୍ଡବିଷ୍ଟ୍ ନନ୍ଦନକାନନ ଆସିବାର ଯୋଜନା ରହିଛି। ସେହିପରି ଦୁଇହଳ ଆଫ୍ରିକୀୟ ଜେବ୍ରା ମଧ୍ୟ ଆସିବାକୁ ଯାଉଛି।ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ। ଖୁବ ଶୀଘ୍ର ନନ୍ଦନକାନନକୁ ଆସିବ ବିରଳ ଓ ଅତି ସୁନ୍ଦର ଲାଲ୍ ପାଣ୍ଡା। ଏହା ନନ୍ଦନକାନନ ପାଇଁ ଏକ ନୂଆ ପ୍ରଜାତି। ଏହାକୁ ଆଣିବା ପାଇଁ କର୍ତ୍ତୃପକ୍ଷ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି।

ଅଧିକ ପଢନ୍ତୁ