ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରୀୟ ମୁମ୍ବାଇର ପୋଓ୍ୱାଇ ଅଞ୍ଚଳରେ । ଘଟଣାରେ ପୋଲିସ ୨୮ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣଙ୍କ ହେଲେ ଅନୀଲ ଶେଷରାଓ ସିନ୍ଦେ । ସେ ଗତ ଅଗଷ୍ଟ ୧୮ ତାରିଖରେ ଏକ ଘରେ ପ୍ରବେଶ କରିଥିଲେ । ଘରେ ପସିଲା ପରେ ସିଧା ସଳଖ ବେଡ୍ ରୁମକୁ ଯାଇଥିଲେ । ଘରେ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଆକ୍ରମଣ କରିଥିଲେ । ଏନେଇ ପୋଓ୍ୱାଇ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।ପୀଡ଼ିତା ରାତି ପ୍ରାୟ ୧୧ଟାରେ ପୋଲିସ ସହ ଯୋଗାଯୋଗ କରି FIR ଦାଖଲ କରିଥିଲେ। ଏହାପରେ ପୋଲିସ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଅଞ୍ଚଳର CCTV ଫୁଟେଜ ଯାଞ୍ଚ କରିଥିଲା। ଫୁଟେଜରେ ଅଭିଯୁକ୍ତ ଶାଢ଼ି ପିନ୍ଧି ଏକ ଅଟୋ-ରିକ୍ସାରେ ଫେରାର୍ ହୋଇ ଠାଣେର କଲୱା ଅଞ୍ଚଳର ଖରେଗାଓଁର ଏକ ବସ୍ତିକୁ ଯାଉଥିବା ଦେଖାଯାଇଥିଲା । CCTV ବିଶ୍ଳେଷଣ ଓ ଟେକ୍ନିକାଲ ଇଣ୍ଟେଲିଜେନ୍ସର ସହାୟତାରେ ପୋଲିସ ଶାଢ଼ି ପିନ୍ଧିଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଥିଲା। ପ୍ରଥମେ ପୋଲିସ ଅଟୋ ଚାଳକଙ୍କୁ ଖୋଜି ବାହାର କରିଥିଲା। ତାଙ୍କଠାରୁ ଅଭିଯୁକ୍ତ କେଉଁଠାରେ ଓହ୍ଲାଇଥିଲେ ସେ ସମ୍ପର୍କରେ ତଥ୍ୟ ନେବା ପରେ ପୋଲିସ କଲୱାରୁ ଅଭିଯୁକ୍ତକୁ ଗିରଫ କରିଥିଲା।ପୋଲିସର କହିବାନୁସାରେ, ବ୍ୟକ୍ତି ଜଣଙ୍କ ଭିକ୍ଷା ମାଗି ଚଳନ୍ତି । ନିଜକୁ ସେ କିନ୍ନର ବୋଲି କୁହନ୍ତି । ଯାହା ମିଛ । ଏସବୁରୁ ବର୍ତ୍ତିବା ପାଇଁ ସଚେତନ ରହିବାକୁ ଜନତାଙ୍କୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।
