ଶ୍ରୀକ୍ଷେତ୍ରରେ ରବିବାର ଠାରୁ ପବିତ୍ର ଝୁଲଣ ଯାତ୍ରା ଆରମ୍ଭ ହେବ । ଶ୍ରାବଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠବାଡ଼ିରେ ପ୍ରତିପଦା ଯାଏଁ ଏହି ଝୁଲଣ ଯାତ୍ରା ଚାଲିବ ।ଝୁଲଣ କୁଞ୍ଜ ତଥା ଦୋଳିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଝାଲର, ଫୁଲ, ନାଗାଫୁଲ, ଖମ୍ୱ ଝାଲର, ବାଙ୍କ ଝାଲର ଲଗାଯାଇଛି । ରାଧାକୃଷ୍ଣଙ୍କ ସହ ରାମସୀତା, ଲକ୍ଷ୍ମୀ ନୃସିଂହ ବିଭିନ୍ନ ଦିବସରେ ଦୋଳି ଖେଳିବେ । ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ ଝୁଲଣ କୁଞ୍ଜ ମଧ୍ୟରେ ଜରି ଜମ୍ୱୁରା କାମ କରାଯାଇଛି । ଏଥିସହ ସୋଲରେ ପ୍ରସ୍ତୁତ ଫୁଲ ଓ କଦମ୍ୱ ମାଳ କୁଞ୍ଜର ଶୋଭାକୁ ଆହୁରି ବଢ଼ାଇଛି । ସୋଲରେ ପ୍ରସ୍ତୁତ ବିଭିନ୍ନ ପକ୍ଷୀ କୁଞ୍ଜ ପରିବେଶକୁ ଅଧିକ ଆକର୍ଷଣୀୟ କରିଛନ୍ତି ।ସାତ ଦିନ ବ୍ୟାପି ଶ୍ରୀକ୍ଷେତ୍ରେ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଭକ୍ତ ଓ ପୁରୀ ସହରବାସୀ ଏହି ଝୁଲଣ ଯାତ୍ରାକୁ ଦେଖିବା ସହ ଝୁଲଣ କୁଞ୍ଜରେ ଠାକୁରଙ୍କ ଦର୍ଶନ ପାଇଁ ବେଶ୍ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି ।
